ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ନିରାଡମ୍ବର ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି

0 1,916

ସ୍ୱାଧୀନତା ଦିବସ ଚଳିତବର୍ଷ ଦେଖାଦେଇଥିବା କରୋନା ମହାମାରୀ ସଂକ୍ରମଣ ଯୋଗୁଁ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ନିରାଡମ୍ବର ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି । ମାତ୍ର ୧୦୦ଜଣ ଅତିଥିଙ୍କ ଉପସ୍ଥିତିରେ ଚଳିତବର୍ଷର ସ୍ୱାଧୀନତା ଦିବସ ଉତ୍ସବ ପାଳିତ ହେବ ।

ଏହି ଅବସରରେ ଅନୁଷ୍ଠିତ ହେବାକୁ ଥିବା ପରେଡରେ ମାତ୍ର ୪ଟି କଣ୍ଟିଜେଣ୍ଟ ଭାଗ ନେବେ । ସମାରୋହ ଉତ୍ସବରେ କେତେକ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । ତେବେ ସାଧାରଣ ଜନତା ପରେଡ ସ୍ଥଳକୁ ଯିବା ଉପରେ କଟକଣା ଲାଗୁ କରାଯାଇଛି ।
ସେହିପରି କଟକଠାରେ ଅନୁଷ୍ଠିତ ହେବାକୁ ଥିବା ୭୪ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି ।

ସ୍ୱାଧୀନତା ଦିବସ ପାଳନକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି । ଚଳିତ ବର୍ଷ ବିନା ଛାତ୍ରଛାତ୍ରୀରେ ବିଦ୍ୟାଳୟଗୁଡ଼ିକରେ ସ୍ୱାଧୀନତା ଦିବସ ପାଳନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍‍ ଶିକ୍ଷା ଅଧିକାରୀ ଏବଂ ଶିକ୍ଷା ଜିଲ୍ଲା ସଂଯୋଜକଙ୍କୁ ପତ୍ର ମାଧ୍ୟମରେ ସୂଚନା ଦିଆଯାଇଛି ।

ସ୍ୱାଧୀନତା ଦିବସ ଉପଲକ୍ଷେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ କୌଣସି ପରିସ୍ଥିତିରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ଆସିବା ପାଇଁ ଡାକିପାରିବେ ନାହିଁ ବୋଲି ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ।ସ୍ୱାଧୀନତା ଦିବସ ପାଳନ ପାଇଁ ସପ୍ତାହନ୍ତ ସଟ୍‍ଡାଉନ୍‍ କଟକଣାକୁ କୋହଳ କରାଯାଇଛି । ଆସନ୍ତାକାଲି ସକଳ ୯ଟା ପରେ ସମସ୍ତ ସ୍ଥାନରେ ପତାକା ଉତ୍ତୋଳନ କରାଯିବ ଏବଂ ଦିନ ୧୧ଟା ପୂର୍ବରୁ ଉତ୍ସବ ପାଳନ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply