ବୟାନ ଭୁଲ ପ୍ରମାଣିତ ହେଲେ ନିର୍ବାଚନରୁ ପାଦ ଫେରାଇ ଆଣିବି: ଆଜମ ଖାନ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ରାମପୁର ଆସନରୁ ସମାଜବାଦୀ ପାଟି ପ୍ରାର୍ଥୀ ଆଜମ ଖାନ ରବିବାର ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟା ପ୍ରଦାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ନିଜର ବୟାନରେ ଆଜମ ଖାନ କହିଛନ୍ତି, ମୁଁ ରାମପୁର ଆସନରୁ ୯ ଥର ବିଧାୟକ ହୋଇଛି । ମନ୍ତ୍ରୀ ବି ଥିଲି । ମୋତେ ଜଣାଅଛି, କ’ଣ କହିବାକୁ ଅଛି । ଯଦି କେହି ପ୍ରମାଣିତ କରିଦିଏ ଯେ, ମୁଁ ମୋର ବୟାନରେ କାହାର ନାମ ନେଇଛି ଅଥବା କାହାରିକୁ ଅପମାନ କରିଛି, ତା’ହେଲେ ନିର୍ବାଚନରୁ ପାଦ ଫେରାଇ ଆଣିବି ।
ନିଜର ନିର୍ବାଚନ ପ୍ରଚାର ଅବସରରେ ଏକ ଜନସଭାରେ ଜୟାଙ୍କ ନାମ ନନେଇ ଆଜମ ଖଶନ କହିଥିଲେ ଯେ, ରାଜନୀତି ଏତେ ତଳକୁ ଖସିଯିବ ବୋଲି ଜାଣି ନଥିଲି । ଯେଉଁ ନେତ୍ରୀଙ୍କୁ ରାମପୁର ବାସୀ ଡାକି ଆଣି ସାଂସଦ କରିଛନ୍ତି ଯେ, ୧୦ ବର୍ଷ ହେଲା ସ୍ଥାନୀୟ ଲୋକଙ୍କର ରକ୍ତ ପିଇଛନ୍ତିି । ସେ କହିଥିଲେ ଆପଣମାନେ ଯାହାକୁ ୧୦ ବର୍ଷ ସୁଯୋଗ ଦେଇଛନ୍ତି, ତାଙ୍କର ଅସଲ ରୂପ ଜାଣିବା ପାଇଁ ଆପଣମାନଙ୍କୁ ୧୭ ବର୍ଷ ଲାଗିବ କିନ୍ତୁ ମୁଁ ୧୭ ଦିନ ମଧ୍ୟରେ ଜାଣି ଯାଇଛି । ଆଜମ ଖାନ ଆହୁରି ମଧ୍ୟ ଆଶାଳୀନ ବ୍ୟବହାର କରିଥିଲେ, ଯାହାକି ଅବର୍ଣ୍ଣନୀୟ ।
ଅନ୍ୟପକ୍ଷରେ ବିବାଦୀୟ ଭୟାନ ଉପରେ ଜୟା ପ୍ରଦା କହିଛନ୍ତି, ଆଜମ ଖାନ ମୋତେ ଗାଳି ଦେଇଛନ୍ତି । ମହିଳାଙ୍କ ପ୍ରତି ଅସମ୍ମାନ ଜନକ ଟିପ୍ପଣୀର ଫଳ ଭୋଗିବାକୁ ପଡ଼ିବ । ମହିଳା ମାନେ ସେମାନଙ୍କ ଅଧିକାର ପାଇଁ ଲଢ଼ିବା ଦରକାର । ଗୋଟିଏ ବି ଭୋଟ ଆଜମ ଖାନଙ୍କ ସପକ୍ଷରେ ନଯିବା ଦରକାର । ଜୟା କହିଛନ୍ତି, ଅଖିଳେଶ ତୁମର ହୃଦୟରେ ସଂସ୍କାର ଲୋପ ପାଇଯାଇଛି ।