ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବୃହତମ ତଥା ତୃତୀୟ ସରକାରୀ କୋଭିଡ ହସ୍ପିଟାଲ ଲୋକାର୍ପିତ କରିଛନ୍ତି । ଭୁବନେଶ୍ୱର ସମ୍ ହସ୍ପିଟାଲରେ ଏହି ସ୍ୱତନ୍ତ୍ର କୋଭିଡ-୧୯ ଚିକିତ୍ସା ସୁବିଧା କେନ୍ଦ୍ର ଉଦ୍ଘାଟିତ ହୋଇଛି । ଏଠାରେ ୫୨୫ ଶଯ୍ୟା ବିଶିଷ୍ଟ ଏହି ସ୍ୱତନ୍ତ୍ର ହସ୍ପିଟାଲର ଉଦ୍ଘାଟନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ପ୍ରମୁଖ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ରହିଥିଲେ । ଏହି ହସ୍ପିଟାଲ ପ୍ରତିଷ୍ଠା ପାଇଁ ମହାନଦୀ କୋଲ୍ଡ ଫିଲ୍ଡ୍ସ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦେଉଛି ।
ଏଠାରେ ୫୦୦ଟି ସଂଧାରଣ ଶଯ୍ୟା ଓ ୨୫ଟି ଆଇସିୟୁ ସୁବିଧା ଥିବା ଶଯ୍ୟା ରହିଛି । ପୂର୍ବରୁ ଭୁବନେଶ୍ୱର କିମ୍ସ ହସ୍ପିଟାଲରେ ସ୍ୱତନ୍ତ୍ର କୋଭିଡ-୧୯ ଚିକିତ୍ସା ସୁବିଧା ପାଇଁ ୫୦୦ଶଯ୍ୟା ବ୍ୟବସ୍ଥା କରାଯାଇଛି । ଏଥିରେ ୧୪ଜଣ ରୋଗୀ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ସେହିପରି କଟକର ଅଶ୍ୱିନୀ ହସ୍ପିଟାଲର ସ୍ୱତନ୍ତ୍ର କୋଭିଡ-୧୯ ଚିକିତ୍ସା ସୁବିଧା କେନ୍ଦ୍ରରେ ୧୯ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି ।