ଲକ୍ଡାଉନ ଓ ସାମାଜିକ ଦୂରତ୍ୱ ନିୟମକୁ ଭଲଭାବେ ପାଳନ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଆହ୍ୱାନ ଦେଇ କହିଛନ୍ତି, ନିଜର ତଥା ସମାଜର ମଙ୍ଗଳ ପାଇଁ ସମସ୍ତେ ଲକ୍ଡାଉନ ଓ ସାମାଜିକ ଦୂରତ୍ୱ ନିୟମକୁ ଭଲଭାବେ ପାଳନ କରନ୍ତୁ ଏବଂ କରୋନା
ବିରୋଧୀ ସଂଗ୍ରାମରେ ପୋଲିସ୍ କର୍ମଚାରୀଙ୍କ ନିଷ୍ଠାପର ସେବା ଓ ତ୍ୟାଗକୁ ସମ୍ମାନ ଜଣାନ୍ତୁ । ଗତକାଲି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇ ୩୯ରେ ପହଞ୍ଚବା ପରେ ମୁଖ୍ୟମନ୍ତ୍ରୀ ଲଗାତାର ଭାବେ ଜନସାଧାରଣଙ୍କୁ ଟ୍ୱିଟ୍ ମାଧ୍ୟମରେ ଆହ୍ୱାନ ଦେଉଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସାରା ବିଶ୍ୱ ସବୁଠାରୁ ଭୟଙ୍କର ବିପଦର ସାମ୍ନା କରୁଛି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅକୁଣ୍ଠ ଚିତ୍ତରେ ଦାନ କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ସଂକ୍ରମଣ ବିରୋଧରେ ଆମ ସଂଗ୍ରାମରେ ହଜାର ହଜାର ପୋଲିସ୍ କର୍ମଚାରୀ ବ୍ୟକ୍ତିଗତ ଏବଂ ପାରିବାରିକ ସୁଖ ତ୍ୟାଗ କରି ଆମ ପାଇଁ ବଳିଦାନଦେଉଛନ୍ତି । ତେଣୁ ଆମେ ଯଦି ଘରେ ରହି ସାମାଜିକ ଦୂରତ୍ୱ ପାଳନ କରିବା, ତାହା ସେମାନଙ୍କ ପାଇଁ ଉପଯୁକ୍ତ ସମ୍ମାନ ହେବ ।