ନୂଆଦିଲ୍ଲୀ ୧୧-୦୪- କରୋନା ମହାମାରୀର ମୁକାବିଲା ଲାଗି କେନ୍ଦ୍ର ସରକାର ୧୫ ହଜାର କୋଟି ଟଙ୍କାର ଜରୁରୀ ପାଣ୍ଠିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଶତପ୍ରତିଶତ କେନ୍ଦ୍ରୀୟ ପାଣ୍ଠି ଉଭୟ ଜାତୀୟ ଏବଂ ରାଜ୍ୟ ସ୍ୱାସ୍ଥ୍ୟସେବା ବିକାଶ ଲାଗି ବିନିଯୋଗ କରାଯିବ । ଏହି ‘ଭାରତ କୋଭିଡ୍-୧୯ ଜରୁରୀ ପଦକ୍ଷେପ ଏବଂ ସ୍ୱାସ୍ଥ୍ୟବ୍ୟବସ୍ଥା ଜରୁରୀ ପ୍ୟାକେଜ୍’ ୫ ବର୍ଷରେ ତିନି ପର୍ଯ୍ୟାୟରେ ବିନିଯୋଗ ହେବ ।
ଏହି ଅର୍ଥ ରାଶି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଦାନ କରାଯିବ । ମୋଟ୍ ଅର୍ଥ ରାଶିରୁ ୭ହଜାର ୭୭୪ କୋଟି ଟଙ୍କା ଜରୁରୀ ପଦକ୍ଷେପ ଲାଗି ବ୍ୟୟ କରାଯିବାକୁ ଥିବାବେଳେ ଅବଶିଷ୍ଟ ଅର୍ଥ ମଧ୍ୟବର୍ତ୍ତୀକାଳୀନ ସହାୟତା ଭାବେ ୧ରୁ ୪ ବର୍ଷ ମଧ୍ୟରେ ମିଳିବ । ଏହି ଅର୍ଥ ମୁଖ୍ୟତଃ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶରେ ବ୍ୟୟ କରାଯିବ । ଏଥିରେ ଅଧିକ କରୋନା ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯିବା ସହ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ), ଆଇସୋଲେସନ ବେଡ୍, ଆଇସିୟୁ ବେଡ୍, ଭେଣ୍ଟିଲେଟର ଓ ଅନ୍ୟାନ୍ୟ ଜରୁରୀ ଉପକରଣ ପ୍ରସ୍ତୁତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ।