ବହୁ ପ୍ରତୀକ୍ଷାର ଅନ୍ତ ଘଟି ଶେଷରେ ଆମ ରାଜ୍ୟରେ ମଙ୍ଗଳବାରରେ ପହଞ୍ଚିଛି କୋଭିସିଲ୍ଡ କରୋନା ଟିକା । ଆଜି ଅପରାହ୍ନରେ ପୁଣେରୁ ଏକ ସ୍ୱତନ୍ତ୍ର ଘରୋଇ ବିମାନରେ ଏହି ଟିକା ସବୁ ଅଣାଯାଇଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥା ଭିତରେ ଟିକାଗୁଡ଼ିକୁ ବିମାନବନ୍ଦରରୁ ରାଜ୍ୟ ଭ୍ୟାକ୍ସିନ୍ ସେଣ୍ଟରକୁ ନିଆଯାଇଛି । ଏହି ଟିକା ପହଞ୍ଚିବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଟିକା ବିତରଣ କରାଯିବ ।
ଏହାପରେ ଆସନ୍ତା ୧୬ ତାରିଖରୁ ଦେଶବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ବୟସ୍କ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକା ମାଗଣାରେ ଦିଆଯିବ । ଏହାପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡିତ ଲୋକଙ୍କୁ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି ।
ରାଜ୍ୟ ଭ୍ୟାକ୍ସିନ୍ ଷ୍ଟୋରରେ ଟିକା ପହଞ୍ଚିବା ପରେ ସ୍ୱାସ୍ଥ୍ୟବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆସିଥିବା କୋଭିସିଲ୍ଡର ୪୦ ହଜାର ୮ ଶହ ଭାଇଲ୍ (ଛୋଟ ବୋତଲ) ଆସିଛି । ଗୋଟିଏ ବୋତଲରୁ ୧୦ ଟି ଡୋଜ୍ ଦିଆଯାଇ ପାରିବ । ସେହି ଅନୁସାରେ ଆଜି ଯେତିକି ଟିକା ରାଜ୍ୟରେ ପହଞ୍ଚିଛି ତାହା କେବଳ ୧ ଲକ୍ଷ ୯୧ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇପାରିବ । ପ୍ରଥମ ପର୍ଯ୍ୟାୟ ଟିକାକରଣ ଲାଗି ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରାଧାନ୍ୟ ଦିଆଯିବ । ଯେଉଁମାନଙ୍କୁ ଟିକା ଦିଆଯିବ ସେମାନଙ୍କ ପାଖକୁ ମେସେଜ୍ ଯିବ । ଯେଉଁ ଜିଲ୍ଲାରେ କୋଭିଡ୍ ସ୍ଥିତି ଉଦ୍ବେଗଜନକ ଥିଲା ସେ ସ୍ଥାନକୁ ଗୁରୁତ୍ୱ ଦିଆଯିବ । ରାଜ୍ୟ ଭ୍ୟାକ୍ସିନ୍ ଷ୍ଟୋରରେ ଟିକା ପହଞ୍ଚିବା ପରେ ଜିଲ୍ଲାସ୍ତରକୁ ନେବାଲାଗି ଜିଲ୍ଲାପାଳ ମାନଙ୍କୁ ଚିଠି କରାଯାଇଛି ।
ସେମାନେ ଆଜି କିମ୍ବା ଆସନ୍ତାକାଲି ଭିତରେ ଟିକା ନେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୨୦ ହଜାର କୋଭାକ୍ସିନ ଡୋଜ୍ ରାଜ୍ୟକୁ ଆସିବ ବୋଲି କେନ୍ଦ୍ର ସରକାର ଜଣାଇଛନ୍ତି । ଆସନ୍ତା ଜାନୁୟାରୀ ୨୫ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଡାଟା ପ୍ରସ୍ତୁତ କରିବାକୁ ଗୃହ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ଏବଂ ସହରାଞ୍ଚଳ ବିଭାଗକୁ ପତ୍ର ଲେଖାଯାଇଛି ।
ସୂଚନାଯୋଗ୍ୟ ଦେଶରେ କରୋନା ସ୍ଥିତି ଓ ଟିକାକରଣ ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ଅବସରରେ ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୩ କୋଟି କରୋନା ଯୋଦ୍ଧାଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ।