ଆମେରିକା ଏବଂ ଚୀନ୍ ପରେ ତୃତୀୟ ସର୍ବବୃହତ୍ ଉର୍ଜା ଉପଭୋକ୍ତା ରାଷ୍ଟ୍ର ଭାରତ କେବଳ ଦେଶବାସୀଙ୍କ ପାଇଁ ନୁହେଁ ବରଂ ବିଶ୍ୱବାସୀଙ୍କ
କଲ୍ୟାଣ ପାଇଁ ସ୍ୱଚ୍ଛ ଓ ସବୁଜ ଉର୍ଜାକୁ ସର୍ବାଧିକ ପ୍ରାଥମିକତା ଦେଉଛି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଆଟଲାଂଟିକ୍ କାଉନ୍ସିଲ୍ ଏନର୍ଜି ଫୋରମ୍ରେ ନୂଆଦିଲ୍ଲୀରୁ ଭିଡ଼ିଓ କନ୍ଫରେନ୍ସିଂରେ ଯୋଗଦେଇ ସେ ଏହା କହିଛନ୍ତି । ‘୨୦୨୧ ଗ୍ଲୋବାଲ୍ ଏନର୍ଜି ଏଜେଣ୍ଡା’ ଶୀର୍ଷକ ଏହି ଆଲୋଚନା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଭାରତ ଗ୍ୟାସ୍ ଆଧାରିତ
ଅର୍ଥବ୍ୟବସ୍ଥା ଆଡ଼କୁ ଗତି କରୁଥିବାବେଳେ ଏଥିପାଇଁ ତୃଣମୂଳ ସ୍ତରରେ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି । ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ଭାରତ ଉର୍ଜା ସଂରକ୍ଷଣକୁ ପ୍ରାଥମିକତା ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମେରିକା ସମେତ ବିଦେଶୀ ରାଷ୍ଟ୍ରମାନଙ୍କ ସହ ଭାରତର ଉର୍ଜା ସମ୍ପର୍କ ମଜବୁତ ହୋଇଛି । କେନ୍ଦ୍ର ସରକାର ଉର୍ଜା ସଂରକ୍ଷଣକୁ ପ୍ରାଥମିକତା ଦେବା ସହ ସବୁଜ ଇନ୍ଧନ କିମ୍ବା ବିକଳ୍ପ ଉର୍ଜା ସମେତ ସୌର ଉର୍ଜାକୁ ବଢ଼ାଇବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।