ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍ଗଣତି ଆରମ୍ଭ ହୋଇଛି । ଏହି ଗଣତି ୩ଦିନ ଧରି ଚାଲିବ । ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍ରେ ଭୋଟ୍ଗଣତି ଚାଲିଛି । ଭୋଟ୍ଗଣତି ପାଇଁ ଗଣନା କେନ୍ଦ୍ର ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆମ ସମ୍ବାଦଦାତାମାନଙ୍କଠାରୁ ମିଳିଥିବା ପ୍ରାଥମିକ ରିପୋର୍ଟ ଅନୁସାରେ ତୃତୀୟ ରାଉଣ୍ଡ ସୁଦ୍ଧା ୩୧୫ଟି ଜିଲ୍ଲାପରିଷଦ ଆସନ ମଧ୍ୟରୁ ୨୮୧ଟି ଜୋନରେ ବିଜୁ ଜନତା ଦଳ ବିଜେଡି ଆଗୁଆ ରହିଥିବାବେଳେ ଭାରତୀୟ ଜନତା ପାର୍ଟି ବିଜେପି ୧୩ଟି ଆସନରେ ଆଗୁଆ ରହିଛି । ସେହିଭଳି କଂଗ୍ରେସ ୧୬ଟି ଆସନ ଏବଂ ଅନ୍ୟାନ୍ୟ ପ୍ରାର୍ଥୀ ୫ଟି ଆସନରେ ଆଗୁଆ ରହିଛନ୍ତି ।
ବାଲଟ ପେପରଗୁଡ଼ିକୁ ରଙ୍ଗ ଅନୁସାରେ ଅଲଗା କରାଯାଇ ପ୍ରଥମେ ୱାର୍ଡ ମ୍ବର, ପରେ ସରପଞ୍ଚ ଓ ତା’ପରେ ସମିତି ସଭ୍ୟ ଏବଂ ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା କରାଯାଉଛି । ଚଳିତ ପଞ୍ଚାୟତ ନିର୍ବାଚନରେ ୩୬ ହଜାର ୫୨୩ ୱାର୍ଡ଼ ମେମ୍ବର, ୧୨୬ ସରପଞ୍ଚ, ୩୨୬ ସମିତି ସଭ୍ୟ ଓ ଜଣେ ଜିଲ୍ଲା ପରିଷଦ ସଭ୍ୟ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଅବଶିଷ୍ଟ ପଦ ପାଇଁ ୨ ଲକ୍ଷ ୨୦ ହଜାର ପ୍ରର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ।
ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକ୍ରେ ଚାଲିଥିବା ଭୋଟ୍ ଗଣତିରେ ଖୋର୍ଦ୍ଧା, ବୋଲଗଡ଼, ବେଗୁନିଆ, ବାଣପୁର, ଟାଙ୍ଗି, ଜୟଦେବ ଏବଂ ଜଟଣି ବ୍ଲକ୍ରେ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ବି.ଜେ.ଡି. ଆଗରେ ରହିଥିବା ଆମ ସମ୍ବାଦଦାତା ଜଣାଇଛନ୍ତି । କଳାହାଣ୍ଡି ଜିଲ୍ଲାରେ ୧୩ଟି ବ୍ଲକର ଜିଲ୍ଲା ପରିଷଦ ୧ ନମ୍ବର
ଜୋନ୍ ପାଇଁ ଭୋଟ୍ ଗଣତି ଜାରି ରହିଛି । ଜିଲ୍ଲାର ୩୬ଟି ଜିଲ୍ଲା ପରିଷଦ ଆସନରେ ୧୪୪ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ ହେଉଛି । ଏଥିପାଇଁ ଭୋଟ୍ଗଣତି କେନ୍ଦ୍ରରେ ସୁରକ୍ଷା କଡ଼ାକଡି କରାଯାଇଛି । ମଧ୍ୟାହ୍ନ ସୁଦ୍ଧା ୨ଟି ବ୍ଲକରେ ବିଜେଡି ଆଗୁଆ ରହିଥିବାବେଳେ ୪ଟି ବ୍ଲକରେ ବିଜେପି
ଆଗୁଆ ରହିଛି।
ସେହିଭଳି ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ସକାଳ ୮ଟାରୁ ଭୋଟ୍ଗଣତି ଜାରି ରହିଛି । ମଧ୍ୟାହ୍ନ ସୁଦ୍ଧା ୬ଟି ଜିଲ୍ଲା ପରିଷଦ ଆସନରେ ଗଣତିର ତୃତୀୟ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡି ଆଗୁଆ ରହିଥିବା ଆମ ସମ୍ବାଦଦାତା ଜଣାଇଛନ୍ତି । ଜିଲ୍ଲାର ସୋନପୁର ସଦର, ବୀରମହାରାଜପୁର, ଉଲୁଣ୍ଡା, ବିନିକା, ଡୁଙ୍ଗୁରିପାଲି ସହ ତରଭା ବ୍ଲକର ୬ଟି ଜିଲ୍ଲା ପରିଷଦ ଆସନ ପାଇଁ ୱାର୍ଡମେମ୍ବର, ସରପଞ୍ଚ ଓ ସମିତିସଭ୍ୟ ପାଇଁ ସମାନ୍ତରାଳ ଭାବେ ଗଣତି ଜାରି ରହିଛି ।
ନୂଆପଡା ଜିଲ୍ଲାର ୫ଟି ଜିଲ୍ଲା ପରିଷଦ ଜୋନ୍ରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିବା ଆମ ସମ୍ବାଦଦାତା ଜଣାଇଛନ୍ତି । ଜିଲ୍ଲାର ଖଡ଼ିଆଳ, ଜିଲ୍ଲା ପରିଷଦ ଜୋନ୍-୪, କୋମନା ଜିଲ୍ଲା ପରିଷଦ ଜୋନ୍-୧ ଏବଂ ନୂଆପଡା ଜିଲ୍ଲା ପରିଷଦ ଜୋନ୍-୭ରେ ବିଜେଡି ଆଗୁଆ ଥିବାବେଳେ ଗୋଟିଏ ଜିଲ୍ଲା ପରିଷଦ ଆସନରେ ବି.ଜେ.ପି. ଆଗୁଆ ରହିଛି ।
ସେହିପରି ସୁନ୍ଦରଗଡ ଜିଲ୍ଲାର ୧୭ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୧୪ଟିରେ ବିଜେଡି ଆଗୁଆ ରହିଥିବା ଜଣାପଡିଛି । ସୁନ୍ଦରଗଡ଼ ସଦର, ବାଲିଶଙ୍କର, ନୂଆଗାଁ, ବିଶ୍ରା, ବଣାଇଁ, ଲହୁଣୀପଡା, ବଡଗାଁ, ହେମଗିରି, ସବ୍ଡେଗା, ରାଜଗାଙ୍ଗପୁର, କୁତ୍ରା, ଲେଫ୍ରିପଡା, କୁଆଁରମୁଣ୍ଡା ଏବଂ ଲାଠିକଟାରେ ବିଜେଡି ଆଗୁଆ ରହିଥିବାବେଳେ ଟାଙ୍ଗରପାଲି ଜୋନ୍ରେ ବିଜେପି ଆଗୁଆ ରହିଛି।
ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ବାସୁଦେବପୁର, ଭଣ୍ଡାରୀପୋଖରୀ, ଭଦ୍ରକ, ବନ୍ତ, ତିହିଡି ଓ ଧାମନଗର ବ୍ଲକ ସମେତ ମୋଟ୍ ୨୧୮ଟି ପଞ୍ଚାୟତର ୨୮ଟି ଜିଲ୍ଲା ପରିଷଦ, ୱାର୍ଡମେମ୍ବର, ସମିତିସଭ୍ୟ ଏବଂ ସରପଞ୍ଚ ପାଇଁ ବ୍ଲକର ପଞ୍ଚାୟତସ୍ତରୀୟ ଓ ଜୋନ୍ସ୍ତରୀୟ ଭୋଟ୍ଗଣତି ଚାଲିଛି । ସେହିପରି କୋରାପୁଟ ଜିଲ୍ଲାର ୧୪ଟି ବ୍ଲକର ୧୪ଟି ଜିଲ୍ଲା ପରିଷଦ ଜୋନ୍ ନିମନ୍ତେ ବିଭିନ୍ନ ବ୍ଲକ କାର୍ଯ୍ୟାଳୟରେ ଗଣତି ଚାଲିଛି । ଲକ୍ଷ୍ମୀପୁର, ଦଶମନ୍ତପୁର, ଲମତାପୁଟ, ଶେମିଳିଗୁଡା ଜୋନ୍ରେ କଂଗ୍ରେସ ପ୍ରାର୍ଥୀମାନେ ଆଗୁଆ ଥିବାବେଳେ ନାରାୟଣପାଟଣା, କୋରାପୁଟ, ବନ୍ଧୁଗାଁ, ବୈପାରୀଗୁଡା, ବୋରିଗୁମ୍ମା, କୁନ୍ଦୁରା, କୋଟପାଡ, ଜୟପୁର ଏବଂ ନନ୍ଦପୁର ଜୋନ୍-୧ରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି ।
ବାଲେଶ୍ୱର ଜିଲ୍ଲାର ୧୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଗଣତି ଚାଲିଛି । ମଧ୍ୟାହ୍ନ ସୁଦ୍ଧା ପ୍ରାୟ କେତେକ ଆସନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଥିବା ସୂଚନା ମିଳିଛି । ଖଇରାବ୍ଲକ ୩ ନମ୍ବର ଜୋନ୍ରେ ବିଜେପି ଆଗୁଆ ଥିବା ଜଣାଯାଇଛି । ସେହିପରି ବରଗଡ ଜିଲ୍ଲାର ୧୨ଟି ବ୍ଲକର ୧୨ଟି ଜିଲ୍ଲାପରିଷଦ ଜୋନ୍, ୯୧ଟି ସରପଞ୍ଚ, ସମିତିସଭ୍ୟ ଏବଂ ୧୨୦୫ ୱାର୍ଡମେମ୍ବର ପଦ ପାଇଁ ଭୋଟ୍ ଗଣତି ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ ଅଧିକାଂଶ ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ତେବେ ଗାଇସିଲେଟ୍, ପାଇକମାଳ ଏବଂ ଝାରବନ୍ଧ ଜୋନ୍ରେ ବିଜେପି ପ୍ରାର୍ଥୀ ଆଗୁଆ
ଅଛନ୍ତି ।
ଝାରସୁଗୁଡା ଜିଲ୍ଲାର ଝାରସୁଗୁଡା, କୋଲବିରା, କିରିମିରା, ଲାଇକରା ଓ ଲଖନପୁର ବ୍ଲକରେ ଥିବା ୯ଟି ଜିଲ୍ଲାପରିଷଦ ଆସନ ପାଇଁ ଚାଲିଥିବା ଭୋଟ୍ଗଣନାରୁ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ଅଛି । ସେହିପରି ରାୟଗଡା ଜିଲ୍ଲାର ସମସ୍ତ ୧୧ଟି ବ୍ଲକର ୧୧ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୬ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ଥିବାବେଳେ ୫ଟିରେ ବିଜେଡି ଆଗୁଆ ରହିଛି ।
ଦେବଗଡ ଜିଲ୍ଲାର ୩ଟି ବ୍ଲକରେ ୭ଟି ଜିଲ୍ଲା ପରିଷଦ ଆସନ ସହ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡମେମ୍ବର ପାଇଁ ଭୋଟ୍ଗଣତି ଜାରି ରହିଛି । ଦ୍ୱିତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଥିବା ନେଇ ଆମ ସମ୍ବାଦଦାତା ଜଣାଇଛନ୍ତି । ସେହିପରି ମାଲକାନଗିରି ଜିଲ୍ଲାର ୭ଟି ଜିଲ୍ଲା ପରିଷଦ ଜୋନ୍
ମାଲକାନଗିରି, ମାଥିଲି, ଖଇରପୁଟ, ଚିତ୍ରକୋଣ୍ଡା, କାଲିମେଳା, ପଡିଆ ବ୍ଲକ ଆଦି ସମସ୍ତ ଜିଲ୍ଲାପରିଷଦ ଜୋନ୍ରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଯାଜପୁର ଜିଲ୍ଲାର ୧୦ଟି ବ୍ଲକରେ ଭୋଟ୍ଗଣତି ଜାରି ରହିଛି । ପ୍ରତ୍ୟେକ ଆସନରେ ବିଜେଡି ଆଗୁଆ ରହିଛି ।
ସର୍ବଶେଷ ସୂଚନା ଅନୁଯାୟୀ ଗଣତି ହେଉଥିବା ୩୧୫ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବି.ଜେ.ଡି. ୨୭୧ଟି ଆସନରେ, ବି.ଜେ.ପି. ୨୧, କଂଗ୍ରେସ ୧୬, ଏନ୍.ସି.ପି. ୨ ଏବଂ ଅନ୍ୟାନ୍ୟା ଦଳ ୬ଟି ଆସନରେ ଆଗୁଆ ଅଛନ୍ତି