ରାଜ୍ୟରେ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ

0 75

ରାଜ୍ୟରେ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । ରାଜ୍ୟ ନିର୍ବାଚନ କମିଶନର୍‍ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ନିର୍ବାଚନ ତାରିଖ ଘୋଷଣା ସହିତ ଆଜିଠାରୁ ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ତେବେ ଏଥିପାଇଁ ଆସନ୍ତା ସୋମବାର ୨୮ ତାରିଖ ଦିନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୨ରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ । ୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ୍‍ କରାଯିବ । ୧୪ ତାରିଖ ସୁଦ୍ଧା ନାମାଙ୍କନ ପତ୍ରର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି ଓ ମାର୍ଚ୍ଚ୨୬ ତାରିଖରେ ଭୋଟ୍‍ ଗଣତି କରାଯିବ ।

ରାଜ୍ୟରେ ପ୍ରଥମ ଥରପାଇଁ ପୌରାଧ୍ୟକ୍ଷ ଓ ମେୟର ସିଧାସଳଖ ନିର୍ବାଚିତ ହେବେ । ଏଥିସହ ପୌର ନିର୍ବାଚନରେ ପ୍ରଥମ ଥରପାଇଁ ଇ.ଭି.ଏମ୍‍.ର ବ୍ୟବହାର କରାଯିବ ଓ ନୋଟା ବିକଳ୍ପ ରହିବ । ଗୋଟିଏ ବୁଥ୍‍ରେ ଦୁଇଟି ଇ.ଭି.ଏମ୍‍. ରହିବ । ମତଦାତାମାନେ ଗୋଟିଏ ଇ.ଭି.ଏମ୍‍.ରେ କାଉନ୍‍ସିଲର୍‍ ବା କର୍ପୋରେଟର୍‍ ଏବଂ ଅନ୍ୟଟିରେ ପୌରାଧ୍ୟକ୍ଷ ବା ମେୟର୍‍ଙ୍କପାଇଁ ମତଦାନ କରିବେ । ରାଜ୍ୟର ୧୦୬ଟି ପୌର ସଂସ୍ଥା ଏବଂ ୩ଟି ମହାନଗର ନିଗମ ପାଇଁ ନିର୍ବାଚନ ହେବ । ତେବେ ଅଦାଲତୀ କାରଣରୁ ପୁରୀ ମ୍ୟୁନିସିପାଲିଟିର ଭୋଟ୍‍ଗ୍ରହଣ ହେବ ନାହିଁ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଯେଉଁ
ସ୍ଥାନର ଜନସଂଖ୍ୟା ୫୦ ହଜାର ରହିଥିବ, ସେହି ସ୍ଥାନରେ କାଉନ୍‍ସିଲର୍‍ ବା କର୍ପୋରେଟର୍‍ମାନେ ସର୍ବାଧିକ ୫୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ।

ସେହିଭଳି ପୌରାଧ୍ୟକ୍ଷ ଏବଂ ମେୟର ପ୍ରାର୍ଥୀମାନେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ଜନସଂଖ୍ୟା ୫୦ ହଜାରରୁ ଅଧିକ ଥିଲେ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିବ । ସେହିପରି ପୌରାଧ୍ୟକ୍ଷ ଓ ମେୟର ପ୍ରାର୍ଥୀମାନେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ।

Leave A Reply