ନଭେମ୍ବର ୩ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ

0 880

ଭୁବନେଶ୍ୱର – ଆସନ୍ତା ନଭେମ୍ବର ୩ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଛି । ଅକ୍ଟୋବର ୧୬ତାରିଖକୁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖଭାବେ ସ୍ଥିର କରାଯାଇଛି । ଅକ୍ଟୋବର ୧୭ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବା ସହ ୧୯ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନଧାର୍ଯ୍ୟ କରାଯାଇଛି ।

ନଭେମ୍ବର ୧୦ତାରିଖରେ ଭୋଟ ଗଣତି ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି  ପ୍ରଥମଥର ପାଇଁ ଏହି ନିର୍ବାଚନରେ ନିୟୋଜିତ ସରକାରୀ କର୍ମଚାରୀ, ୮୦ବର୍ଷରୁ ଅଧିକ ବରିଷ୍ଠନାଗରିକ, ଦିବ୍ୟାଙ୍ଗ ଓ କରୋନା ସଂକ୍ରମିତମାନେ ପୋଷ୍ଟାଲ ବାଲାଟ୍‍ରେ ନିଜର ମତଦାନ କରିପାରିବେ । ପୋଷ୍ଟାଲ ବାଲାଟ୍‍ ମାଧ୍ୟମରେ କିଭଳି ସୁରୁଖୁରୁରେ ମତଦାନ କରାଯାଇପାରିବ ସେ ନେଇ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।

ପ୍ରାର୍ଥିପତ୍ର ଦାଖଲ ପରଠାରୁ ୧୩ତାରିଖ ପର୍ଯ୍ୟନ୍ତ ନିର୍ବାଚନରେ ନିୟୋଜିତ କର୍ମଚାରୀ ଘର ଘର ବୁଲି ଫର୍ମ ବାର ଯୋଗାଇଦେବେ । ଯେଉଁମାନେ ପୋଷ୍ଟାଲ ବାଲାଟ୍‍ରେ ଭୋଟ ଦେବା ପାଇଁ ଚାହିଁବେ ସେମାନେ ୧୪ତାରିଖ ସୁଦ୍ଧା ନିର୍ବାଚନ ଅଧିକାରୀଙ୍କୁ ଆବେଦନ କରିପାରିବେ ।

ଅନ୍ୟପକ୍ଷରେ ପ୍ରାର୍ଥିପତ୍ର ଦାଖଲ ସମୟରେ ମାସ୍କ ଓ ଗ୍ଲୋଭ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହ ପ୍ରାର୍ଥୀ ନିଜ ସହ ଅତିବେଶୀରେ ଦୁଇଜଣଙ୍କୁ ସାଙ୍ଗରେ ନେଇପାରିବେ ଏବଂ କେବଳ ଦୁଇଟି ଗାଡି ବ୍ୟବହାର କରିପାରିବେ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି । ଘର ଘର ବୁଲି ପ୍ରଚାର ପାଇଁ କେବଳ ୫ଜଣ ଯାଇପାରିବେ ଏବଂ ସାଧାରଣ ସଭା ସମୟରେ ୧୦୦ଜଣରୁ ଅଧିକ ବ୍ୟକ୍ତିଙ୍କୁ ଅନୁମତି ମିଳିପାରିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply