ନୂଆଦିଲ୍ଲୀ – ବହୁ ପ୍ରତିକ୍ଷୀତ ଅଯୋଧ୍ୟା ଜମି ବିବାଦ ମାମଲାର ଚୂଡାନ୍ତ ରାୟ ଗତକାଲି ସୁପ୍ରିମକୋର୍ଟ ଶୁଣାଇଛନ୍ତି । ଅଯୋଧ୍ୟାର ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣ କରିବାପାଇଁ ଏହି ଜମିକୁ ଏକ ଟ୍ରଷ୍ଟ ହାତକୁ ହସ୍ତାନ୍ତର କରିବା ସକାଶେ ୩ରୁ ୪ ମାସ ଭିତରେ ଏକ ଯୋଜନା ପ୍ରସ୍ତୁତ କରିବାପାଇଁ ସୁପ୍ରିମ୍କୋର୍ଟ କେନ୍ଦ୍ର
ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲାବେଳେ ସୁନି ୱାକ୍ଫ ବୋର୍ଡ଼କୁ ୫ ଏକର ଜମି ପୃଥକ୍ ଭାବେ ଦେବାପାଇଁ ରାୟରେ ଦର୍ଶାଯାଇଛି । ରାମ ଜନ୍ମଭୂମି – ବାବ୍ରୀ ମସ୍ଜିଦ୍ ବିବାଦୀୟ ଜମି ଉପରେ ପ୍ରଧାନ ବିଚାରପତି ରଞ୍ଜନ
ଗୋଗୋଇ ଐତିହାସିକ ରାୟ ପ୍ରଦାନ କରି କହିଛନ୍ତି, ଏହି ରାୟ ପ୍ରତି ସାମ୍ବିଧାନିକ ଖଣ୍ଡପୀଠର ୫ ଜଣ ବିଚାରପତିଙ୍କର ସମ୍ମତି ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ରାୟକୁ ସ୍ୱାଗତ କରିବା ସହ ଏହି ରାୟ ସମଗ୍ର ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିବାର ବାର୍ତ୍ତା ଦେଉଛି ବୋଲି କହିଛନ୍ତି । ଏହାକୁ କାହାର ହାର୍ଜିତ୍ ବୋଲି ଭାବିବା ଉଚିତ୍ ନୁହେଁ,
ରାମଭକ୍ତି ବା ରହିମ ଭକ୍ତି ନୁହେଁ, ଏବେ ଦେଶବାସୀଙ୍କୁ ଭାରତ ଭକ୍ତି ଦେଖାଇବାର ସମୟ ଆସିଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଗଣତନ୍ତ୍ରରେ ଯେକୌଣସି ଜଟିଳ ସମସ୍ୟାର ସମାଧାନ କରାଯାଇପାରିବ ।
କୋର୍ଟଙ୍କ ରାୟକୁ ସର୍ବ ବର୍ଗ ଓ ସବୁ ଧର୍ମର ଲୋକ ଖୋଲା ହୃଦୟରେ ସ୍ୱାଗତ କରିଛନ୍ତି । ଏହାଦ୍ୱାରା ସାରା ଦୁନିଆ ଭାରତର ଗଣତନ୍ତ୍ର କେତେ ଜୀବନ୍ତ ଓ ମଜବୁତ୍, ତାହା ଜାଣିପାରିଛି । ତେବେ ୧୩୦ କୋଟି ଭାରତୀୟ ବର୍ତ୍ତମାନ ପରିପ୍ରେକ୍ଷୀରେ ଶାନ୍ତି ଓ ସଞ୍ଜମ ରକ୍ଷାକରି ଭାଇଚାରାର ନିଦର୍ଶନ ଦେଖାଇବାକୁ
ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି ।
ସେହିଭଳି ଅଯୋଧ୍ୟା ରାୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶ ତଥା ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟରେ ଶାନ୍ତିଶୃଙ୍ଖଳା ସ୍ଥିତି ବଜାୟ ରଖିବାପାଇଁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ରାଜ୍ୟ ପୁଲିସ ଡି.ଜି. ବିଜୟ କୁମାର ଶର୍ମା କହିଛନ୍ତି । ସାମାଜିକ ଗଣମାଧ୍ୟମରେ କୌଣସି
ଧର୍ମବିରୋଧୀ ମନ୍ତବ୍ୟ ପ୍ରକାଶ ପାଇଲେ ବା ବିଶୃଙ୍ଖଳା ସୃଷ୍ଟିହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଏସ୍ପି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ସ୍ଥାନରେ ଷ୍ଟାଟିକ୍ ଫୋର୍ସ ମୁତୟନ କରାଯିବା ସହ ମୋବାଇଲ
ପାଟ୍ରୋଲିଂ କରାଯାଉଛି ।