ରାଜ୍ୟ ବିଧାନସଭାର ଚଳିତ ଶୀତକାଳୀନ ଅଧିବେଶନକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଫଳରେ ଚଳିତ ଶୀତ ଅଧିବେଶନ ୨୦ ଦିନ ପୂର୍ବରୁ ଶେଷ ହୋଇଛି । ଆସନ୍ତା ୩୧ ତାରିଖରେ ବିଧାନସଭା ଅଧିବେଶନ ଶେଷ ହେବାପାଇଁ ଧାର୍ଯ୍ୟ ହୋଇଥିଲା ।
ସୂଚନା ଅନୁସାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୂର୍ବଭଳି ବିରୋଧି ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ପ୍ଲାକାର୍ଡ ପ୍ରଦଶର୍ନ ସହିତ ଘଣ୍ଟ ବଜାଇଥିଲେ । ହଟ୍ଟଗୋଳ ଯୋଗୁଁ ବାଚସ୍ପତି ପ୍ରଥମେ ଗୃହକୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ସମୟରେ ବିରୋଧିଙ୍କ ହଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ପୁଣି ୩୦ ମିନିଟ୍ ପାଇଁ ମୁଲତବି ଘୋଷଣା କରିବା ସହିତ ସର୍ବଦଳୀୟ ବୈଠକ ଡାକିଥିଲେ । ପରିସ୍ଥିତି ସ୍ୱାଭାବିକ ନ ହେବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।
ଅପରାହ୍ନ ଅଧିବେଶନ ଆରମ୍ଭ ହେବା ପରେ ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରମୁଖ ରିପୋର୍ଟମାନ ଉପସ୍ଥାପିତ କରିଥିଲେ । ଏଥି ସହିତ ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକଙ୍କ ସ୍ୱତନ୍ତ୍ର ଅଡିଟ୍ ରିପୋର୍ଟକୁ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଗୃହରେ ଉପସ୍ଥାପିତ କରିଥିଲେ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ବର୍ଷର ଅତିରିକ୍ତ ବ୍ୟୟମଞ୍ଜୁରୀ ଆଗତ କରିଥିଲେ । ବିରୋଧିଙ୍କ ହଟଗୋଳ ମଧ୍ୟରେ ୧୯
ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ଗୃହରେ ଅନୁମୋଦନ ଲାଭ କରିଛି ।
ବିଧାନସଭାିଧାନସଭାର ଶୀତକାଳୀନ ଅଧିବେଶନ ୯ ଦିନ ପର୍ଯ୍ୟନ୍ତ ମଧ୍ୟ ଚାଲିପାରିଲା ନାହିଁ । ୨୬ଟି କାର୍ଯ୍ୟ ଦିବସ ସହ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଷୋଡ଼ଶ ବିଧାନସଭାର ଅଷ୍ଟମ ତଥା ଅତିରିକ୍ତ ବଜେଟ୍ ଅଧିବେଶନ ଗତକାଲି ଶେଷ ହୋଇଛି । ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ୍ ସହ ସି.ବି.ଆଇ. ତଦନ୍ତ ଦାବିରେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ ଏବଂ ଗୃହ ଭିତରେ ଓ ବାହାରେ କେନ୍ଦ୍ର ସରକାରଙ୍କର ଓଡ଼ିଶା
ପ୍ରତି ବୈମାତୃକ ମନୋଭାବ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଶାସକ ବିଜେଡ଼ି ସଭ୍ୟଙ୍କ ବିକ୍ଷୋଭ, ପ୍ରତିବାଦ ଓ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଗୃହକୁ ଅଚଳ କରିଥିଲା । ଯାହାଫଳରେ ବାଚସ୍ପତି ବିଧାନସଭାର ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ ।