ବାତ୍ୟାର ୬ ଦିନପରେ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ସଂଯୋଗରେ ସୁଧାର ଆସିଲା

0 466

ଭୁବନେଶ୍ୱର ..-ବାତ୍ୟା ଫନୀ ଦ୍ୱାରା ପ୍ରଭାବିତ ଲୋକଙ୍କ ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ପ୍ରଭାବିତ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ଫେରାଇ ଆଣିବା ପାଇଁ ମାନବସମ୍ବଳ, ମେସିନ୍‌ ଓ ଉପକରଣ ଇତ୍ୟାଦିର ଉପଯୁକ୍ତ ବିନିଯୋଗପୂର୍ବକ ରିଲିଫ୍‌ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ରାଜ୍ୟ ଓ ରାଜ୍ୟ ବାହାରର କୁଶଳୀ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇ ଅଭିନବ ଜ୍ଞାନକୌଶଳ ବ୍ୟବହାର କରି ସ୍ୱଳ୍ପ ସମୟ ମଧ୍ୟରେ ବାତ୍ୟାଗ୍ରସ୍ତ ଅଞ୍ଚଳରେ ପୂର୍ବାବସ୍ଥା ଫେରାଇ ଆଣିବାକୁ ଅଦମ୍ୟ ପ୍ରଚେଷ୍ଟା ଚାଲିଛି । ବିଶେଷ ଭାବେ ପାନୀୟ ଜଳଯୋଗାଣ, ବିଦୁ୍ୟତ ସରବରାହ, ରିଲିଫ୍‌ ଓ ପୁନରୁଦ୍ଧାର, ଟେଲିଯୋଗାଯୋଗ, ବ୍ୟାଙ୍କିଂ ସୁବିଧା, ପରିମଳ ଓ ସ୍ୱାସ୍ଥ୍ୟଜନିତ ସମସ୍ୟାର ଆଶୁ ସମାଧାନ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି ।
ଗ୍ରାମୀଣ ପାନୀୟ ଜଳଯୋଗାଣ
ବାତ୍ୟା ଫନୀ ଦ୍ୱାରା ପ୍ରଭାବିତ ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାର ପାନୀୟ ଜଳଯୋଗାଣ ବ୍ୟବସ୍ଥା ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଉକ୍ତ ଜିଲ୍ଲାଗୁଡ଼ିକରେ କ୍ଷତିଗ୍ରସ୍ତ ହୋଇଥିବା ସମୁଦାୟ ୨୩୬୪ଟି ଗ୍ରାମୀଣ ପାନୀୟ ଜଳଯୋଗାଣ ବ୍ୟବସ୍ଥା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୫୫୦ଟିକୁ ସଂପୂର୍ଣ କାର୍ଯ୍ୟକ୍ଷମ କରାଯାଇପାରିଛି । ଏହି ଜିଲ୍ଲାଗୁଡ଼ିକରେ ୩୦୦ ଉଚ୍ଚଶକ୍ତିସଂପନ୍ନ ଜେନ୍‌ସେଟ୍‌ ବ୍ୟବହାର କରାଯାଇ ଜନସାଧାରଣଙ୍କୁ ସଂପୃକ୍ତ ଅଞ୍ଚଳରେ ତ୍ୱରିତ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି । ସମସ୍ତ ୨୩୬୪ଟି ଗ୍ରାମୀଣ ପାଇପ ଜଳଯୋଗାଣ ବ୍ୟବସ୍ଥାକୁ ଆସନ୍ତା ୭ ଦିନ ମଧ୍ୟରେ ସଂପୂର୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲୁରହିଛି ।
ଅତ୍ୟଧିକ କ୍ଷତିଗ୍ରସ୍ତ ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାର ଜଳଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଅଗ୍ରାଧିକାର ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ଆଜି ସୁଦ୍ଧା ୨୨୬ଟି ଏବଂ ପୁରୀ ଜିଲ୍ଲାରେ ୭୧ଟି ଗ୍ରାମୀଣ ପାଇପ ଜଳଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଯାଇଛି ।
ପୂର୍ବ ପ୍ରସ୍ତୁତି ଅନୁଯାୟୀ ୭୪୧ଟି ଓଭରହେଡ୍‌ ଟ୍ୟାଙ୍କ୍‌କୁ ବାତ୍ୟା ପୂର୍ବ ଏବଂ ପରବର୍ତ୍ତୀ ସମୟରେ ଜଳପୂର୍ଣ କରି ରଖାଯାଇ ଜଳଯୋଗାଣ କାର୍ଯ୍ୟ ଚାଲୁ ରହିଛି । ବିଭିନ୍ନ ଜିଲ୍ଲାରୁ ପ୍ରାୟ ୩୦୦ ଉଚ୍ଚଶକ୍ତିସଂପନ୍ନ ଜେନ୍‌ସେଟ୍‌ ଅଣାଯାଇ ପ୍ରଭାବିତ ଅଞ୍ଚଳରେ ଜଳଯୋଗାଣ ଅବ୍ୟାହତ ରହିଛି । ବିଭିନ୍ନ ଗାଁରେ ମୋବାଇଲ୍‌ ଟିମ୍‌ ଜରିଆରେ ଖରାପ ହୋଇଥିବା ନଳକୂପଗୁଡ଼ିକର ମରାମତି ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି । ଇତି ମଧ୍ୟରେ ଭଦ୍ରକ ଜିଲ୍ଲାକୁ ଶତପ୍ରତିଶତ ଜଳଯୋଗାଣ ନିଶ୍ଚିତ କରାଯାଇଛି । ଯାଜପୁର, କେନ୍ଦ୍ରାପଡ଼ା ଏବଂ କଟକ ଜିଲ୍ଲାର ଶତପ୍ରତିଶତ ଜଳଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇଛି । ଗ୍ରାମୀଣ ପାନୀୟ ଜଳଯୋଗାଣ ବ୍ୟବସ୍ଥାକୁ ସଂପୂର୍ଣ କାର୍ଯ୍ୟକ୍ଷମ କରିବା ପାଇଁ କ୍ଷୀପ୍ର ଗତିରେ କାର୍ଯ୍ୟ ଚାଲିଛି ।

Leave A Reply