ଭୋଟ ଦେବା ପୂର୍ବରୁ ସତର୍କ ହୁଅନ୍ତୁ ; ଜାଣନ୍ତୁ କେଉଁ ଦଳରେ କେତେ ଦାଗୀ ନେତା

0 671
ଭୁବନେଶ୍ୱର : ସାରା ଦେଶରେ ନିର୍ବାଚନ ଋତୁ ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ଏକ ସଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳ ଓ ନେତାମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଏ ପରିସ୍ଥିତିରେ ଭୋଟରମାନଙ୍କ ଦାୟିତ୍ୱ ବଢିଯାଇଛି । କାରଣ ସେମାନଙ୍କ ଭୋଟ ଆସନ୍ତା ୫ ବର୍ଷ ପାଇଁ ଦେଶ ଓ ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ କରିବ । ଏଣୁ ପ୍ରାର୍ଥୀଙ୍କ ଯୋଗ୍ୟତା, ପୂର୍ବ ରେକର୍ଡ, ଆପରାଧିକ ପୃଷ୍ଠଭୂମି ଆଦିକୁ ବିଚାରକୁ ନେଇ ଭୋଟରମାନେ ନିଷ୍ପତ୍ତି ନେଇପାରିବେ ।
ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଏବଂ ଓଡ଼ିଶା ଇଲେକ୍ସନ ଓ୍ଵାଚ ଓଡ଼ିଶାର ପ୍ରାର୍ଥୀମାନଙ୍କ ସଂପର୍କରେ ଏକ ରିପୋର୍ଟ ପ୍ରକାଶ  କରିଛି । ଏହି ରିପୋର୍ଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀମାନଙ୍କ ଅପରାଧିକ, ଆର୍ଥିକ, ଶିକ୍ଷାଗତ ଆଦି ପୃଷ୍ଠଭୂମି ଉପରେ ବିଶ୍ଳେଷଣ କରାଯାଇଛି ।  ଏହି ରିପୋର୍ଟ ପ୍ରସ୍ତୁତି ପାଇଁ ସଂସ୍ଥା ପକ୍ଷରୁ ମୋଟ ୧୯୧ରୁ ୧୮୯ ଜଣ ପ୍ରାର୍ଥୀଙ୍କ ପ୍ରଦତ୍ତ ସତ୍ୟପାଠର ବିଶ୍ଳେଷଣ କରାଯାଇଛି । ରିପୋର୍ଟରୁ ଜଣାପଡିଛି ଯେ ଏହି ୧୮୯ ଜଣଙ୍କ ମଧ୍ୟରୁ ୫୫ ଜଣ (୨୯%) ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ।  ଏମାନଙ୍କ ମଧ୍ୟରୁ ୩୫ ଜଣ ପ୍ରାର୍ଥୀଙ୍କର ଗୁରୁତର ଅପରାଧିକ ମାମଲା ରହିଛି । ଗୁରୁତର ଅପରାଧର ଅର୍ଥ ହେଉଛି ଯେଉଁ ମାମଲାଟି ଜାମିନ ବିହୀନ ହୋଇଥିବ ଓ ସେଥିରେ ୫ ବର୍ଷରୁ ଅଧିକ ଜେଲଦଣ୍ଡର ବ୍ୟବସ୍ଥା ଥିବ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ କଂଗ୍ରେସର ୨୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ଜଣ ଅର୍ଥାତ ( ୫୯ %)ଙ୍କ ବିରୋଧରେ   ଅପରାଧିକ ମାମଲା ରହିଛି । କଂଗ୍ରେସ ପଛକୁ ରହିଛି ବିଜେପି, ଏହାର ୨୮ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ ଜଣ ( ୩୯%)ଙ୍କ ବିରୋଧରେ ଓ ବିଜେଡ଼ିର  ୨୮ ପ୍ରାର୍ଥୀଙ୍କ ମଧ୍ୟରୁ ୯ ଜଣ ( ୩୨%)ଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଗୁରୁତର ଅପରାଧିକ ରେକର୍ଡ ଥିବା ପ୍ରାର୍ଥୀ କ୍ଷେତ୍ରରେ ବି କଂଗ୍ରେସ ଆଗୁଆ ଅଛି । କଂଗ୍ରେସର ସର୍ବାଧିକ ୩୭%, ବିଜେପିର ୨୯% ଓ ବିଜେଡ଼ିର ୨୧% ପ୍ରାର୍ଥୀଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି ।

 

 

 

 

 

 

Leave A Reply