ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇ ଘୂର୍ଣ୍ଣିବଳୟର ରୂପ – ଆସନ୍ତା ୧୪ ତାରିଖ ବେଳକୁ ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ

0 102

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇ ଘୂର୍ଣ୍ଣିବଳୟର ରୂପ ନେଇଛି । ଆସନ୍ତା ୧୪ ତାରିଖ ବେଳକୁ ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି । ୧୪ ପରଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ ।


ଅନ୍ୟପକ୍ଷରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସହ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ବର୍ଷାର ସମ୍ଭାବନା ରହିଛି । ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ପ୍ରକାଶ । ଅନ୍ୟପକ୍ଷରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଗତ ୨ ସପ୍ତାହ ଧରି
ବିପଦସଙ୍କେତ ପାଖାପାଖି ରହିଥିବା ଜଣାପଡିଛି । ଜଳଭଣ୍ଡାର ମଧ୍ୟକୁ ଯେତିକି ଜଳ ପ୍ରବେଶ କରୁଛି ସମ ପରିମାଣର ଜଳ ମଧ୍ୟ ନିଷ୍କାସ କରାଯାଉଛି ।

ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀର ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦେଶର ଅଧିକାଂଶ ଭାଗରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ହୋଇଥିବ । କିନ୍ତୁ ଆସନ୍ତା ଦୁଇ ଦିନରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଓ ସମ୍ଭାବ୍ୟ ବାତ୍ୟା ପାଇଁ ଓଡ଼ିଶାରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ଆଉ କିଛିଦିନ ବିଳମ୍ବିତ ହୋଇପାରେ । ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍‍ ପ୍ରବାହ ଏବେ ବି ଜାରି ରହିଛି । ଏହା ବର୍ତ୍ତମାନ
ସମୁଦ୍ର ପତନଠାରୁ ୫ ଦଶମିକ ୮ କିଲୋମିଟର ଉଚ୍ଚତାରେ ବିସ୍ତାରିତ ହୋଇ ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ କହିଛି । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଏହା ଅଧିକ ଚିହ୍ନିତ ତଥା ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତିକରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।


ତେବେ ସ୍କାଏମେଟ୍‍ର ଆକଳନ ଅନୁସାରେ ଆସନ୍ତା ୨୪ରୁ ୪୮ ଘଣ୍ଟାରେ ମୌସୁମୀ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼, ଗୁଜୁରାଟ ଓ ମଧ୍ୟପ୍ର ଅଧିକାଂଶ ଭାଗରୁ ପ୍ରତ୍ୟାହୃତ ହୋଇଯିବ । ପରବର୍ତ୍ତୀ ଦୁଇ ଦିନରେ ଏହା ପଶ୍ଚିମବଙ୍ଗ, ଓଡ଼ିଶାର କିଛି ଅଂଶ ଓ ମହାରାଷ୍ଟ୍ରରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ହେବାର ସମ୍ଭାବନା ରହିଛି । କିନ୍ତୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ମୌସୁମୀର ପ୍ରତ୍ୟାବର୍ତ୍ତନକୁ ପ୍ରଭାବିତ କରିବ । ଫଳରେ ଓଡ଼ିଶାରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ଆଉ କିଛିଦିନ ବିଳମ୍ବିତ ହୋଇପାରେ ।


ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୪୮ ଘଣ୍ଟାରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଓ ପରବର୍ତ୍ତୀ ଦୁଇ ଦିନରେ ଏହା ପଶ୍ଚିମ ଦିଗରେ ଗତିକରିବା ସହ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଦକ୍ଷିଣ ଚୀନ ସାଗରରେ ସୃଷ୍ଟ ବାତ୍ୟା ଆସନ୍ତା ୧୭ ତାରିଖବେଳକୁ ଏକ ଲଘୁଚାପରେ ପରିଣତ ହୋଇ
ବଙ୍ଗୋପସାଗରରେ ପ୍ରବେଶ କରିଥିବ ।

Leave A Reply