ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସୀମାବର୍ତ୍ତୀ ଜିଲ୍ଲା କୋରାପୁଟ ଓ ଗଜପତିରେ ଗାଁକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଆପୋସ ସମାଧାନ ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନ୍ମୋହନ ରେଡ୍ଡୀଙ୍କୁ ଏକ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ।
ପତ୍ରରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି, କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ୨୦ଟି ଗାଁରୁ ଆରମ୍ଭ ହୋଇଥିବା ବିବାଦ ଏବେ ସୀମାବର୍ତ୍ତୀ ଅଞ୍ଚଳ ଗଜପତି ଜିଲ୍ଲାକୁ ବ୍ୟାପିଛି । ଏହାଦ୍ୱାରା ଆନ୍ତଃରାଜ୍ୟ ସୀମାବିବାଦ ସୃଷ୍ଟି ହୋଇଛି । ଏହାର ସମାଧାନ ଲାଗି ଉଚ୍ଚସ୍ତରରେ ପରିପକ୍ୱ ରାଜନୈତିକ ବିଶେଷଜ୍ଞଙ୍କ ହସ୍ତକ୍ଷେପ ଓ ସହଯୋଗର ଆବଶ୍ୟକତା ରହିଛି । ଏ ସଂକ୍ରାନ୍ତରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ୪ଟି ପ୍ରସ୍ତାବ ଦେଇଛନ୍ତି ।
ପ୍ରଥମତଃ ବିବାଦୀୟ ଗ୍ରାମଗୁଡ଼ିକରୁ ସଶସ୍ତ୍ର ସୁରକ୍ଷାବଳକୁ ଅପସାରଣ କରାଯିବା, ସ୍ଥାନୀୟ ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରାଯିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱ ଦେଇଛନ୍ତି ।
ଦ୍ୱିତୀୟରେ ଗ୍ରାମାଞ୍ଚଳର ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ଓ ମୌଳିକ ସୁବିଧାକୁ ବାଦ୍ ଦେଇ ନୂତନ ଢାଞ୍ଚାଗତ ନିର୍ମାଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଉ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି ।
ତୃତୀୟରେ ଏହି ବିବାଦରେ ଆଗାମୀ ଦିନର ରୋଡ୍ମ୍ୟାପ୍ ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରାଯାଉ ଏବଂ
ଚତୁର୍ଥରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ କିମ୍ବା ଉନ୍ନୟନ କମିଶନରଙ୍କ ସ୍ତରରେ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ ନେଇ କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।