ଓଡ଼ିଶା ଏଥର ନିର୍ବାଚନରେ ଇତିହାସ ରଚିବ: ମୋଦୀ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହଯୋଗ ନ ମିଳିବା ପରେ ବି କେନ୍ଦ୍ର ସରକାର ଓଡ଼ିଶାର ବିକାଶ ଦିଗରେ କାମ କରୁଛି । ଦେଶର ଅନୁନ୍ନତ ଅଂଚଳରେ ବିକାଶ ପହଂଚାଇବା ପାଇଁ କେନ୍ଦ୍ର ସରକାର କାମ କରୁଛି ବୋଲି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଭବାନୀପାଟଣାରେ ବିଜୟ ସଂକଳ୍ପ ସଭାକୁ ସମ୍ବୋଧନ କରି ମୋଦୀ ସାଧାରଣ ଜନତାଙ୍କୁ କହିଛନ୍ତି, ଆପଣଙ୍କର ଭୋଟ ହିନ୍ଦୁସ୍ତାନର ଭାଗ୍ୟ ପରିବର୍ତ୍ତନ କରିଛି । ମୋଦୀ କହିଛନ୍ତି, ୨୦୧୭ରେ ଉତ୍ତର ପ୍ରଦେଶ ଇତିହାସ ରଚିଥିବା ବେଳେ ୨୦୧୯ ନିର୍ବାଚନରେ ଓଡ଼ିଶା ଇତିହାସ ରଚିବ । ଚଳିତ ନିର୍ବାଚନରେ ବିଜେପିକୁ ଭୋଟ ଦେଇ ଓଡ଼ିଶାରେ ଡବଲ ଇଂଜିନ ଲଗାଇବାକୁ ହେବ ।
ମୋଦୀ ଉଭୟ କଂଗ୍ରେସ ଓ ରାଜ୍ୟ ସରକାରକୁ ଟାଗେର୍ଟ କରିଛନ୍ତି । ଓଡ଼ିଶାରେ ମୃତଦେହ ଘରକୁ ନେବା ପାଇଁ ଆମ୍ବୁଲାନ୍ସ ମିଳୁ ନାହିଁ । ଲୋକଙ୍କୁ ରୋଜଗାର ନ ମିଳୁଥିବାରୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପଡୁଛି । ଅସୁବିଧାର ସମାଧାନ କେମିତି କରାଯିବ, ତାହା ମୋଦୀର ଶକ୍ତି ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅନେକ ଦଶନ୍ଧି ଧର କଂଗ୍ରେସ ଯେଉଁ କାମ କରି ପାରି ନାହିଁ ତାହାକୁ ମୋଦୀ ୫ ବର୍ଷରେ କରି ପାରିଛି ।
ଓଡ଼ିଶାର ୮ ଲକ୍ଷ ଗରିବ ପରିବାରଙ୍କୁ ଘର ମିଳିଛି । ଏହା ଦେଇଛି କିଏ? ରାଜ୍ୟରେ ୨୪ ଲକ୍ଷ ଲୋକଙ୍କୁ ମାଗଣାରେ ବିଦ୍ୟୁତ ସଂଯୋଗ ମିଳିଛି । ଏହା ଦେଇଛି କିଏ? ରାଜ୍ୟର ୩୦୦୦ ଗ୍ରାମରେ ସ୍ୱାଧୀନତାର ୭୨ ବର୍ଷ ପରେ ବିଦ୍ୟୁତ ଦେଇଛି କିଏ? ସେହିପରି ରାଜ୍ୟର ୪୦ ଲକ୍ଷ ଗରୀବ ପରିବାରଙ୍କୁ ଗ୍ୟାସ ସଂଯୋଗୀ କରଣ କରିଛି କିଏ? ଓଡ଼ିଶାର କୋଟି କୋଟି ଲୋକଙ୍କର ଜନଧନ ଯୋଜନାରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ୫୦ ଲକ୍ଷ ଶୌଚାଳୟ ନିର୍ମାଣ କେନ୍ଦ୍ର ସରକାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ସମ୍ବଲପୁରୀ ଭାଷାରେ ସ୍ଥାନୀୟ ଜନତାଙ୍କୁ ଆପଣମାନେ କେମିତି ଅଛନ୍ତି ବୋଲି ପଚାରି ବୁଝିଥିଲେ । ମୋଦୀ ଓଡ଼ିଶାର ମହାପୁରୁଷଙ୍କୁ ମନେ ପକାଇଥିଲେ । ମୋଦୀ କହିଥିଲେ, ବିଗତ ୫ ବର୍ଷ ମଧ୍ୟରେ ଗୋଟିଏ ଦିନ ବି ଛୁଟିରେ ନରହି ଦେଶ ପାଇଁ କାମ କରୁଛି । ଦେଶର ଅସୁବିଧାକୁ ଦୃଷ୍ଟିରେ କେମିତି ସମାଧାନ ହେବ, ତାହା ରାସ୍ତା ଖୋଜିଛି । ସେ ଜନତାଙ୍କୁ କହିଛନ୍ତି, ଦେଶର ପରିବର୍ତ୍ତନରେ ଯଦି ଆପଣମାନଙ୍କ ଅବଦାନ ନଥାନ୍ତା, ତା’ହେଲେ ଅସମ୍ଭବ ହୋଇ ନଥାନ୍ତା । ତେଣୁ ଜନତା ଜନାର୍ଦ୍ଦନଙ୍କ ନିକଟରେ ମୋର ଜୀବନକୁ ସମର୍ପଣ କରୁଛି । ମୋଦୀ ପୁଣି ଥରେ ଆଜି ନିଜକୁ ଚୌକିଦାର ଓ ସେବକ ବୋଲି ସମ୍ବୋଧନ କରୁଛନ୍ତି ।
ଗସ୍ତ ପୂର୍ବରୁ ମୋଦୀ ଓଡ଼ିଆରେ ଟୁଇଟ କରି ଲେଖିଥିଲେ, ଓଡ଼ିଶାରେ ଏମିତି କିଛି ବିଶେଷତା ଅଛି, ଯାହା ମୋତେ ବାରମ୍ବାର ଏହି ରାଜ୍ୟକୁ ଟାଣି ଆଣୁଛି । ସୂଚନାଯୋଗ୍ୟ ବିଗତ ୫ ଦିନ ମଧ୍ୟରେ ମୋଦୀଙ୍କର ଏହା ହେଉଛି ଦ୍ୱିତୀୟ ଗସ୍ତ । ପୂର୍ବରୁ ମୋଦୀ କୋରାପୁଟ ଜିଲ୍ଲାର ଜୟପୁରରେ ବିଜୟ ସଂକଳ୍ପ ସଭାରେ ଉଦବୋଧନ ଦେଇଥିଲେ । କ୍ରିଷ୍ଣାନଗର ପଡ଼ିଆରେ ଅନୁଷ୍ଠିତ ବିଜୟ ସଂକଳ୍ପ ସଭାରେ ବରିଷ୍ଠ ନେତା ଡ. ଦାମୋଦର ରାଉତ, କେନ୍ଦ୍ର ପେଟ୍ରୋଲିୟମ ଏବଂ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ୟଧାନ, ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା ଓ ସୋମବାର ବିଜେଡି ଛାଡ଼ିଥିବା ମୋରଡ଼ା ବିଧାୟକ ପ୍ରବୀଣ ଭଂଜଦେଓ ତା ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ସେହିଭଳି ମୋଦୀଙ୍କ କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ଛତିଶଗଡ଼ରୁ ହଜାର ହଜାର କର୍ମୀ, ସମର୍ଥକ ଓ ସାଧାରଣ ଜନତା ଯୋଗଦେଇଥିଲେ ।