ଆଜି ୭ମ ଅନ୍ତର୍ଜାତୀୟ ଯୋଗଦିବସ ସମଗ୍ର ଦେଶରେ ପାଳନ କରାଯାଉଛି

0 66

ଆମ ସଂସ୍କୃତିକୁ ଭାରତୀୟ ମୁନିଋଷି ମାନଙ୍କର ଏକ ଅମୂଲ୍ୟ ଅବଦାନ ହେଉଛି ଯୋଗ । ଏହା ଶରୀର ଏବଂ ମନ, ବିଚାର ଏବଂ କର୍ମ ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ସହିତ ପ୍ରକୃତି ଓ ମଣିଷ ମଧ୍ୟରେ ସଂହତି ପ୍ରତିଷ୍ଠା କରିଥାଏ । ଆଜି ୭ମ ଅନ୍ତର୍ଜାତୀୟ ଯୋଗଦିବସ ସମଗ୍ର ଦେଶରେ ପାଳନ କରାଯାଉଛି । ଏହି ଦିବସର ବାର୍ତ୍ତା ହେଉଛି “ସୁସ୍ଥତା ପାଇଁ ଯୋଗ” । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏହି ଅବସରରେ ଉଦ୍‍ବୋଧନ ଦେଇଛନ୍ତି । ପ୍ରତ୍ୟେକ ଦେଶ, ପ୍ରତ୍ୟେକ ସମାଜ ତଥା ପ୍ରତ୍ୟେକ ବ୍ୟକ୍ତିଙ୍କର ସୁସ୍ଥତା ପ୍ରଧାନମନ୍ତ୍ରୀ କାମନା କରିଛନ୍ତି । ଏହି ବୈଶ୍ୱିକ ମହାମାରୀ ସମୟରେ ଲୋକଙ୍କ ଭିତରେ ଯୋଗ ଏକ ଭରସା ଜନ୍ମାଇ ପାରିଛି ବୋଲି ସେ କହିଛନ୍ତି । ଯୋଗ ମାଧ୍ୟମରେ ଶାରିରୀକ ସୁସ୍ଥତା ସହ ମାନସିକ ସୁସ୍ଥତା ବଜାୟ ରହିଥାଏ । ଯୋଗ ଆମକୁ ନକରାତ୍ମକ ଶକ୍ତିଠାରୁ ସୃଜନଶୀଳତା ଆଡକୁ ନେଇଯାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଯୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟାଇବା ସହ ଅନେକ ପ୍ରକାର ରୋଗର ପ୍ରାର୍ଦୁଭାବରୁ ମୁକ୍ତି ଦେଇଥାଏ ବୋଲି କହିଛନ୍ତି । ଏକ ସୁସ୍ଥ ଓ ସମୃଦ୍ଧ ଜୀବନ ପାଇଁ ନିୟମିତ ଯୋଗାଭ୍ୟାସର ଉପଯୋଗିତା ଯଥେଷ୍ଟ ଅଧିକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଦେଶର ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକରେ ଆଜି ଯୋଗଦିବସ ପାଳନ କରାଯାଉଛି । ଏଥିପାଇଁ ଶୀର୍ଷକ ରହିଛି ‘ଯୋଗ ସହ ରୁହନ୍ତୁ, ଘରେ ରୁହନ୍ତୁ’ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିସନ ୟୁଜିସି ପକ୍ଷରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀ, ଶିକ୍ଷକ, ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଯୋଗକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରିବା ପାଇଁ ଅନ୍‍ଲାଇନ୍‍ ଜରିଆରେ ପ୍ରତିଜ୍ଞା କରିବାକୁ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave A Reply