ଏହି ଆଶ୍ରମକୁ ମହିଳା ପ୍ରବେଶ ମନା, ବିଧାୟିକା ପ୍ରବେଶ କରିବାରୁ ଗଙ୍ଗାଜଳରେ ଧୋଇଲେ
ଲକ୍ଷ୍ନୌ : ଉତ୍ତରପ୍ରଦେଶର ଏକ ପ୍ରାଚୀନ ମନ୍ଦିରରେ ଜଣେ ବିଜେପି ବିଧାୟିକା ପ୍ରବେଶ କରିବାରୁ ମନ୍ଦିରର ପୂଜକମାନେ ଗଙ୍ଗା ଜଳରେ ମନ୍ଦିରକୁ ସଫା କରିଛନ୍ତି । ଏହାକୁ ନେଇ ସାରା ରାଜ୍ୟରେ ବିବାଦ ସୃଷ୍ଟି ହୋଇଛି । ମିଳିଥିବା ରିପୋର୍ଟ ଅନୁସାରେ ଗତ ୧୨ ତାରିଖରେ ଉତ୍ତରପ୍ରଦେଶର ବିଜେପି ବିଧାୟିକା ମନିଷା ଅନୁରାଗୀ ନିଜ ନିର୍ବାଚନମଣ୍ଡଳୀରେ ଆସୁଥିବା ହମୀରପୁରରେ ସ୍କୁଲ ପିଲାମାନଙ୍କୁ ୟୁନିଫର୍ମ ବଣ୍ଟନ କରିବାକୁ ଯାଇଥିଲେ । ଏହି ଅବସରରେ ସେ ନିକଟସ୍ଥ ରିଷି ଦ୍ରୁମ ନାମକ ପୁରାଣ ପ୍ରସିଦ୍ଧ ଆଶ୍ରମକୁ ଯାଇ ପୂଜାର୍ଚ୍ଚନା କରିଥିଲେ । କିନ୍ତୁ ସେ ଯିବା ପରେ ଆଶ୍ରମରେ ରହୁଥିବା ସାଧୁମାନେ ଗଙ୍ଗା ଜଳ ଆଣି ଆଶ୍ରମକୁ ଧୋଇଥିଲେ । ଏହି ଆଶ୍ରମର ପରମ୍ପରା ଅନୁସାରେ ମହିଳାମାନେ ବାହାରୁ ପ୍ରଣାମ କରିଥାନ୍ତି । ଏହି ଆଶ୍ରମ ପ୍ରତିଷ୍ଠା କରିଥିବା ସାଧୁ ବ୍ରହ୍ମଚାରୀ ଥିବାରୁ ସେ ଆଶ୍ରମକୁ ନାରୀମାନଙ୍କୁ ଛାଡୁ ନଥିଲେ । ତାଙ୍କ ଦେହାନ୍ତ ପରେ ମଧ୍ୟ ଏହି ପରମ୍ପରା ଶହ ଶହ ବର୍ଷ ଧରି ଚାଲିଆସିଛି । ଏହି ନିୟମକୁ ନ ମାନି ଆଶ୍ରମରେ ଥରେ କେତେକ ମହିଳା ପ୍ରବେଶ କରିବାରୁ ଉକ୍ତ ଅଂଚଳରେ ୪୦ ବର୍ଷ ଧରି ମରୁଡ଼ି ପଡିଥିଲା ବୋଲି ସ୍ଥାନୀୟ ଲୋକମାନେ ଯୁକ୍ତି କରୁଛନ୍ତି ।