ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଡ. ସମ୍ବିତ ପାତ୍ର ଚଳିତ ଲୋକସଭା ନିର୍ବାଚନରେ ପୁରୀରୁ ଲଢ଼େଇ କରୁଛନ୍ତି । ପୁରୀରେ କଂଗ୍ରେସର ସ୍ଥିତି ଭଲ ନାହିଁ । କାରଣ ଏହି ଆସନ ଅଧିକାଂଶ ସମୟ ଅଣ କଂଗ୍ରେସ ହାତରେ ରହି ଆସିଛି । ମୋଟାମୋଟି ଭାବରେ କହିବାକୁ ଗଲେ ସମ୍ବିତ ପାତ୍ରଙ୍କୁ ବିଜେଡିର ସାଂସଦ ପ୍ରାର୍ଥୀ ପିନାକୀ ମିଶ୍ରଙ୍କୁ ଚ୍ୟାଲେଞ୍ଜ କରିବାକୁ ପଡୁଛି । ସୁପ୍ରିମକୋର୍ଟର ଆଇନଜୀବୀ ପୀନାକିଙ୍କ ପୁରୀରେ ୧୫ ବର୍ଷର ଅଭିଜ୍ଞତା ଅଛି । ସାଂସଦ ପିନାକୀ ମିଶ୍ର ୨୦୦୯ ଓ ୨୦୧୪ ଲୋକସଭା ନିର୍ବାଚନରେ ପୁରୀରୁ ବିଜୟୀ ହୋଇଥିଲେ । ତା ପୂର୍ବରୁ କଂଗ୍ରେସର ସାଂସଦ ଭାବେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।
ଅପରପକ୍ଷେ ପୁରୀରେ ଥିବା ବିଭିନ୍ନ ଅଭାବ ଓ ଅସୁବିଧାକୁ ଉପସ୍ଥାପନ କରି ସମ୍ବିତ ଲୋକଙ୍କ ପାଖକୁ ଯିବେ । ଭାରତର ଅନ୍ୟତମ ଜଣାଶୁଣା ଅନ୍ତର୍ଜାତୀୟ ସ୍ତରୀୟ ପର୍ଯ୍ୟଟନସ୍ଥଳ ଏବଂ ଚାରିଧାମରୁ ଗୋଟିଏ ସ୍ଥଳ ହୋଇଥିଲେ ମଧ୍ୟ ପୁରୀରେ ଥିବା ଶତାଧିକ ସମସ୍ୟା ନେଇ ସମ୍ବିତ ଲୋକଙ୍କୁ ବୁଝାଇବେ । ସମ୍ବିତ ପାତ୍ର ବିଜେପିର ଜଣାଶୁଣା ମୁହଁ । ପୁରୀ ଆସନରୁ ସେ ଯଦି ବିଜୟୀ ହୁଅନ୍ତି ତା’ହେଲେ ଶ୍ରୀକ୍ଷେତ୍ରର ସମସ୍ୟାକୁ ଠିକ ଭାବରେ ସଂସଦରେ ଉପସ୍ଥାପନ କରିପାରିବେ ବୋଲି ଅନୁମାନ ହେଉଛି । କାରଣ ଭାରତର ଅନ୍ୟଧାମ ଯଥା ଦ୍ୱାରକା ଓ ବାରାଣାସୀରେ ବିଜେପି ଯେଉଁ ବିକାଶ ମୂଳକ କାମ କରିଛି ପୁରୀରେ ବିଜେଡି ତାହା କରିପାରି ନାହିଁ । ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିରରେ ବିଭିନ୍ନ ସମୟରେ ନୀତି ବିଭ୍ରାଟ, ନବକଳେବର ସମୟରେ ବ୍ରହ୍ମ ବିଭ୍ରାଟ ହୋଇଛି ।