ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ଦେଶରେ କୋବିଡ୍ରେ ଅଧିକ ସଂଖ୍ୟାରେ ଲୋକମାନେ ମୃତ୍ୟୁ ବରଣ କରିଥିବା ସଂକ୍ରାନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି । ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ଯେତେବେଳେ କୋବିଡ୍ରେ ଲୋକମାନେ ମୃତ୍ୟୁ ବରଣ କରୁଥିଲେ ସେତେବେଳେ ମୃତ୍ୟୁର ସଂଜ୍ଞା ଉପରେ କେହି କିଛି କହୁ ନଥିଲେ । ସେ କହିଛନ୍ତି ଆଇସିଏମ୍ଆର ତଥ୍ୟକୁ ଯାଞ୍ଚ କରିବା ପରେ ମୃତ ଲୋକମାନଙ୍କ ମଧ୍ୟରୁ ଶତକଡ଼ା ୯୫ ଭାଗ ସଂକ୍ରମଣର ଚତୁର୍ଥ ସପ୍ତାହ ମଧ୍ୟରେ ମୃତ୍ୟୁବରଣ କରିଥିବାର ନିର୍ଦ୍ଧାରଣ କରିଥିଲା ।
ସେ ଦୃଷ୍ଟିରୁ ସଂକ୍ରମଣର ୩୦ ଦିନ ମଧ୍ୟରେ ମୃତ୍ୟୁ ଘଟିଲେ ତାହାକୁ କୋବିଡ୍ ମୃତ୍ୟୁର ସଂଜ୍ଞା ଦିଆଯାଇଥିଲା । ଡକ୍ଟର ଭାର୍ଗବ କହିଛନ୍ତି, ଜଣେ ସଂକ୍ରମିତ ବ୍ୟକ୍ତି ଯଦି ଦୁଇ ସପ୍ତାହ ମଧ୍ୟରେ ପ୍ରାଣ ହରାଉଥିଲେ ତେବେ ତାହାକୁ କୋବିଡ୍ ମୃତ୍ୟୁ କୁହାଯାଇ ପାରିବ । କିନ୍ତୁ ଯଦି ଜଣେ ବ୍ୟକ୍ତି ୨ରୁ ୬ ମାସ ମଧ୍ୟରେ ପ୍ରାଣ ହରାଇବେ ତାହେଲେ ତାହାକୁ କୋବିଡ୍ ମୃତ୍ୟୁ କୁହାଯିବ ନାହିଁ ।
କେନ୍ଦ୍ର ସରକାର ଦ୍ୱାରା ବ୍ୟବହାର କରାଯାଉଥିବା ଗାଣିତକ ପଦ୍ଧତି ଉପରେ ଡବ୍ଲ୍ୟୁ.ଏଚ୍.ଓ ଆପତ୍ତି ଉଠାଇଛନ୍ତି । ଏଥିପାଇଁ ବିଶ୍ୱସନୀୟ ତଥ୍ୟ ଉପଲବ୍ଧ ଥିବାର ସରକାର କହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି,ଡବ୍ଲ୍ୟୁ.ଏଚ୍.ଓ ଦ୍ୱାରା ବ୍ୟବହାର କରାଯାଉଥିବା ପଦ୍ଧତି ଓ ତଥ୍ୟ ଉପରେ ଅନେକ ପ୍ରଶ୍ନବାଚୀ ଉଠିପାରିବ ।
କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ପ୍ରତ୍ୟେକ ଦେଶ ପାଇଁ ସମାନ ଆଭିମୁଖ୍ୟ ଗ୍ରହଣ ପ୍ରତି ଭାରତ ଦୃଢ଼ଯୁକ୍ତି ଉପସ୍ଥାପନ କରିଆସୁଛି । କୋବିଡ୍ ପ୍ରତିଷେଧକ, ପରୀକ୍ଷା ଯନ୍ତ୍ରପାତି ଓ ଔଷଧପତ୍ର କ୍ଷେତ୍ରରେ ରିହାତି ପ୍ରଦାନ ପାଇଁ ଭାରତ ଦକ୍ଷିଣ ଆଫ୍ରିକା ସହ ପ୍ରସ୍ତାବ ଦେଇଛି । ସେ କହିଛନ୍ତି, କୋବିଡ୍ ଟିକାକରଣ ସକାଶେ ଆନ୍ତର୍ଜାତିକ ମେଣ୍ଟ ସହ ଭାରତ କାର୍ଯ୍ୟ କରିଆସୁଛି । ଏହି ଲକ୍ଷ୍ୟ ହାସଲ ପାଇଁ କୋବିଡ୍ ସମ୍ବନ୍ଧୀୟ ସମସ୍ତ ସୁବିଧା ପ୍ରତ୍ୟେକ ଦେଶକୁ ଉପଲବ୍ଧ ହେବା ଉପରେ ଭାରତ ଗୁରୁତ୍ୱ ଦେଉଛି । ସେ କହିଛନ୍ତି, କୋବିଡ୍ର ମୁକାବିଲାରେ ଡିଜିଟାଲ୍ ବିପ୍ଳବ ଓ ବୈଷୟିକଜ୍ଞାନ ଏକ ମୁଖ୍ୟ କ୍ଷେତ୍ର ରହିଛି । ଶ୍ରୀ ସିଂହ କହିଛନ୍ତି, ଡିଜିଟାଲ୍ କ୍ଷେତ୍ରରେ ଭାରତ ଏହାର ଦକ୍ଷତାର ଉପଯୋଗ କରି ସେ ବିକଶିତ କରିଥିବା କୋ-ୱିନ୍ ଆପ୍କୁ ବିଶ୍ୱର ଅନ୍ୟ ଦେଶ ଗୁଡ଼ିକୁ ଯୋଗାଇବାକୁ ନିଷ୍ପତ୍ତି ନେଇଛି । ମନ୍ତ୍ରୀ କହିଛନ୍ତି, ଭାରତ ଦୀର୍ଘ ସମୟ ଧରି ବିଜ୍ଞାନ ଓ ବୈଷୟିକଜ୍ଞାନକୁ ପ୍ରୋତ୍ସାହିତ କରି ଆସିବା
ସହ ନବୀକରଣ ପାଇଁ ପଦକ୍ଷେପ ନେଉଛି । ଆନ୍ତର୍ଜାତିକ ସମସ୍ୟା ବଳିର ସମାଧାନ ପାଇଁ ନୂଆନୂଆ ଚିନ୍ତାଧାରାର ବିକାଶ ଦିଗରେ ମଧ୍ୟ ଭାରତ କାର୍ଯ୍ୟ କରୁଛି । ମନ୍ତ୍ରୀ କହିଛନ୍ତି, ଦେଶର ବୈଜ୍ଞାନିକମାନେ ଭାରତର ଔଷଧଶିଳ୍ପ ସହାୟତାରେ ନିରାପଦ ତଥା ଶସ୍ତା କୋବିଡ୍ ପ୍ରତିଷେଧକ ଉତ୍ପାଦନ କରିବାରେ ସଫଳ ହୋଇଛନ୍ତି । ଭାରତରେ ବିଶ୍ୱର ପ୍ରଥମ ଡି.ଏନ୍.ଏ. ଭିତ୍ତିକ ପ୍ରତିଷେଧକ ଉତ୍ପାଦନ କରାଯାଇଛି । ଶ୍ରୀ ସିଂହ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ସଂକ୍ରାନ୍ତ ସପ୍ତମ ବାର୍ଷିକ ଷ୍ଟେକ୍ ହୋଲଡର ଫୋରମ୍ରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ।
ଦେଶବ୍ୟାପୀ ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ଶହେ ଅଣାନବେ କୋଟି ୮୧ ଲକ୍ଷ ଡୋଜ୍ କୋବିଡ ପ୍ରତିଷେଧକ ଟିକା ଦିଆଯାଇଛି । ଗତକାଲି ୧୬ ଲକ୍ଷ ୫୯ ହଜାର ଡୋଜ୍ ଟିକା ଦିଆଯାଇଥିଲା । ଗତ ୨୪ ଘଣ୍ଟା ଭିତରେ ୩ ହଜାର ଲୋକ କୋବିଡରେ ଆକ୍ରାନ୍ତ ହୋଇଛନ୍ତି । ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ୧୯ ହଜାର ରହିଛି । ଗତ ୨୪ ଘଣ୍ଟା ଭିତରେ ୩ ହଜାର ୫୦୦ ଜଣ କୋବିଡ୍ରୁ ଆରୋଗ୍ୟ ହୋଇଛନ୍ତି । ଏଥିସହିତ ମୋଟ୍ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୪ କୋଟି ୫ ଲକ୍ଷକୁ ଅତିକ୍ରମ କରିଯାଇଛି । କୋବିଡ ଆରୋଗ୍ୟ ହାର ଶତକଡା ୯୮ ଦଶମିକ ୭/୪ ଭାଗ ରହିଛି ।
Comments are closed, but trackbacks and pingbacks are open.