ୟୁକ୍ରେନ୍ରେ ଫଶି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଫେରାଇ ଆଣିବାପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏ ସମ୍ପର୍କରେ ସମନ୍ୱୟ ରକ୍ଷା ଲାଗି ମୁଖ୍ୟମନ୍ତ୍ରୀ ଉନ୍ନୟନ କମିଶନର୍ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର
ପ୍ରଦୀପ କୁମାର ଜେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିଶନର୍ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିବେ । ସେହିପରି ୟୁକ୍ରେନ୍ରେ ଥିବା ଓଡ଼ିଆ ଛାତ୍ର ଓ ଶ୍ରମିକମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଓ ଏହି ସଙ୍କଟ ସମୟରେ
ସେମାନଙ୍କ ପରିବାର ସହ ପ୍ରଭାବଶାଳୀ ସମନ୍ୱୟ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଆଲୋଚନା କରିଛନ୍ତି । ଭାରତ ସରକାର ୟୁକ୍ରେନ୍ରେ ଫଶି ରହିଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାପାଇଁ ସେଠାକାର ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ଶ୍ରୀ ଶାହା ସୂଚନା ଦେଇଛନ୍ତି । ଯଥାଶୀଘ୍ର ସମସ୍ତଙ୍କୁ ସୁରକ୍ଷିତ ଭାବେ ଭାରତକୁ ଫେରାଇ ଆଣିବାପାଇଁ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି ।
ୟୁକ୍ରେନ୍ରେ ଫଶି ରହିଥିବା ଓଡ଼ିଆମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଓଡ଼ିଶା ସରକାର ଏକ ସ୍ୱତନ୍ତ୍ର ସହାୟତା ସେଲ୍ ଖୋଲିଛନ୍ତି । ଏହି ସହାୟତା କେନ୍ଦ୍ରକୁ ଦିଲ୍ଲୀସ୍ଥିତ ଓଡ଼ିଶା ଭବନଠାରେ ଥିବା ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ଆବାସିକ କମିଶନର୍ଙ୍କ କାର୍ଯ୍ୟାଳୟରେ ଖୋଲାଯାଇଛି । ଏହି ସହାୟତା
କେନ୍ଦ୍ର କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଅନ୍ୟ ସମସ୍ତ ଏଜେନ୍ସି ସହ ସମନ୍ୱୟ ରକ୍ଷା କରିବ । ଆବାସିକ କମିଶନର୍ ରବି କାନ୍ତ୍ ଏହାର ନୋଡ଼ାଲ୍ ଅଫିସର ଅଛନ୍ତି । ସହାୟତା କେନ୍ଦ୍ରର ମୋବାଇଲ୍ ଓ ହ୍ୱାଟ୍ସପ୍ ନମ୍ବର ହେଉଛି –
୮୫୨୭୮-୫୦୨୪୫ ଓ ଲ୍ୟାଣ୍ଡ୍ ଲାଇନ୍ ନମ୍ବର ହେଉଛି – ୦୧୧- ୨୩୦୧-୨୭୫୧ । ସହାୟତା କେନ୍ଦ୍ର ସହ ଇ-ମେଲ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିହେବ ।