ମୁଖ୍ୟମନ୍ତ୍ରୀ ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଓ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିବା ଅବସରରେ ସଂକ୍ରମଣ ବୃଦ୍ଧି ପାଉଥିବା ଜିଲ୍ଲା ଗୁଡ଼ିକ ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହିସବୁ ଜିଲ୍ଲାଗୁଡ଼ିକରେ କରୋନା କଟକଣା ବଜାୟ ରଖିବାକୁ ସେ କହିଛନ୍ତି । ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବା ଉପରେ ସେ ଗୁରୁତ୍ୱାରୋପକରିଛନ୍ତି । ଘରକୁ ଘର ସର୍ଭେକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସମ୍ଭାବ୍ୟ ତୃତୀୟ ଲହରର ପ୍ରସ୍ତୁତି ସ୍ୱରୂପ ଶିଶୁରୋଗ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ତଥା ଏ ସମ୍ପର୍କୀତ ତାଲିମକୁ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଡାକ୍ତରଖାନା ଗୁଡ଼ିକରେ ଅକ୍ସିଜେନ୍ ପ୍ଲାଣ୍ଟ ଯେପରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ହୋଇପାରିବ ତାହା ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।
ଆଗାମୀ କିଛି ମାସ ପାଇଁ ଟିକାକରଣକୁ ତ୍ୱରାନ୍ୱିତ କରିବା ଉପରେ ଫୋକସ୍ ରହିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ଦୈନିକ ୩ଲକ୍ଷ ଲୋକଙ୍କୁ ଟିକାପ୍ରଦାନ କରାଯାଉଛି । ଟିକା କେନ୍ଦ୍ରମାନଙ୍କରେ ବିଭିନ୍ନ ସୁବିଧାର ବିକାଶ ପାଇଁ ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।