କୋଭିଡ ଯୋଗୁଁ ଭାରତରେ ଅଟକି ରହିଥିବା ଭାରତୀୟ ଭିସାଧାରୀ ବିଦେଶୀ ନାଗରିକ ଚଳିତବର୍ଷ ଅଗଷ୍ଟ ୩୧ତାରିଖ ଯାଏଁ ରହିପାରିବେ

0 1,159

କରୋନା ମହାମାରୀ ଯୋଗୁଁ ବ୍ୟାବସାୟିକ ବିମାନ ଚଳାଚଳ ୨୦୨୦ ମାର୍ଚ୍ଚରୁ ବନ୍ଦ ରହିଥିବାରୁ ବୈଧ ଭାରତୀୟ ଭିସାରେ ଭାରତକୁ ଏହି ତାରିଖ ପୂର୍ବରୁ ଆସିଥିବା ଅନେକ ବିଦେଶୀ ନାଗରିକ ଅଟକି ରହିବାକୁ ବାଧ୍ୟ ହୋଇଛନ୍ତି । ୨୦୨୦ ମାର୍ଚ୍ଚ ପୂର୍ବରୁ ଯେଉଁ ବିଦେଶୀମାନେ ଭାରତ ଆସିଥିଲେ ସେମାନେ ଲକ୍‌ଡାଉନ ଯୋଗୁଁ ନିଜର ଭିସା ମିଆଦ ବଢାଇବାରେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ଜୁନ ୨୯ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ଏହି ବିଦେଶୀମାନଙ୍କ ଭିସା ମିଆଦକୁ ୩୦ଜୁନ ୨୦୨୦ରୁ ଏକ ମାସ ପାଇଁ ବଢାଇ ଦିଆଯାଇଥିଲା । ତେବେ ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ ହେବା ପରଠାରୁ ଏହି ଭିସା ମିଆଦଗୁଡିକୁ ଲାଗୁ କରାଯିବାକୁ ସରକାର ପରେ ସ୍ପଷ୍ଟ କରିଥିଲେ । ଏହି ସମୟ ମଧ୍ୟରେ ସମ୍ପୃକ୍ତ ବିଦେଶୀ ନାଗରିକମାନଙ୍କୁ ମାସିକ ଭିସା ଅବଧି ବୃଦ୍ଧି ଏବଂ ଅଧିକ ସମୟ ରହିବାକୁ ନିର୍ଦ୍ଦିଷ୍ଟଭାବେ ଉଲ୍ଲେଖ କରି ଆବେଦନ କରିବାକୁ କୁହାଯାଇଥିଲା ।

ଏବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ନିଷ୍ପତ୍ତିର ପୁନର୍ବିଚାର କରିଛି । ଏଯାଏଁ ଭାରତରେ ବ୍ୟାବସାୟିକ ଆର୍ନ୍ତଜାତିକ ବିମାନ ଉଡାଣ ସେବା କରୋନା ମହାମାରୀ ଯୋଗୁଁ ସ୍ୱାଭାବିକ ହୋଇନାହିଁ । ତେଣୁ ସମ୍ପୃକ୍ତ ଭାରତୀୟ ଭିସାଧାରୀ ଅଥବା ନିର୍ଦ୍ଦିଷ୍ଟ ଅଧିକ ସମୟ ରହିବାକୁ ଆବେଦନ କରିଥିବା ବିଦେଶୀମାନଙ୍କ ଭିସା ମିଆଦକୁ ୨୦୨୧ ଅଗଷ୍ଟ ୩୧ ତାରିଖ ଯାଏ ବୈଧ ଭାବେ ବିବେଚିତ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ମିଆଦ ବୃଦ୍ଧି ନିଃଶୁଳ୍କ ଏବଂ ଏଥିପାଇଁ ସମ୍ପୃକ୍ତ ବିଦେଶୀ ନାଗରିକଙ୍କ ଠାରୁ ଅଧିକ ସମୟ ରହିବା ବାବଦରେ କୌଣସି ଫି କିମ୍ବା ଜୋରିମାନ ଆଦାୟ କରାଯିବ ନାହିଁ । ଆହୁରି ମଧ୍ୟ ସମ୍ପୃକ୍ତ ନାଗରିକମାନେ ସେମାନଙ୍କ ଭିସା ଅବଧି ବଢାଇବାକୁ ଏଫ୍‌ଆର୍‌ଆର୍‌ଓ / ଏଫଆରଓଙ୍କ ନିକଟରେ ଦରଖାସ୍ତ କରିବାର ଆବଶ୍ୟକତା ନାହିଁ ।

ଦେଶ ଛାଡିବା ପୂର୍ବରୁ ସମ୍ପୃକ୍ତ ବିଦେଶୀ ନାଗରିକମାନେ ପ୍ରସ୍ଥାନ ଅନୁମତି ପାଇଁ ଏଫଆର୍‌ଆର୍‌ଓ / ଏଫଆରଓଙ୍କ ନିକଟରେ ଚାହିଁଲେ ଆବେଦନ କରିପାରିବେ । ଏ କ୍ଷେତ୍ରରେ ସେମାନଙ୍କୁ ବିନା ଦେୟରେ ଦେଶ ଛାଡିବାକୁ ଅନୁମତି ମିଳିବ । ଅଧିକ ଦିନ ରହିଥିବାରୁ ସେମାନଙ୍କଠାରୁ ଫି ବା ଜୋରିମାନା ଆଦାୟ କରାଯିବ ନାହିଁ ।

Leave A Reply