ପ୍ରଥମ ବ୍ରିଟିଶ ଭାରତୀୟ ବଂଶୋଦ୍ଭବ ରୁଷି ସୁନାକ ବ୍ରିଟେନର
ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

137

ପ୍ରଥମ ବ୍ରିଟିଶ ଭାରତୀୟ ବଂଶୋଦ୍ଭବ ରୁଷି ସୁନାକ ବ୍ରିଟେନର
ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବେ । ଆଜି ସକାଳେ ସେ
ବଙ୍କିଙ୍ଗ୍‍ହାମ୍‍ ପ୍ୟାଲେସ୍‍ରେ କିଙ୍ଗ ଚାର୍ଲସ୍‍ଙ୍କୁ ସାକ୍ଷାତ କରିବା ପରେ ଏହି
ପଦରେ ଅଭିଷିକ୍ତ ହେବେ । ସେଠାକାର ବିଦାୟୀ ପ୍ରଧାନମନ୍ତ୍ରୀ ଲିଜ୍‍ ଟ୍ରସ୍‍
ଆଜି ତାଙ୍କର ଶେଷ କ୍ୟାବିନେଟ୍‍ ବୈଠକ ଆୟୋଜନ କରିବେ । ବ୍ରିଟେନ
ଇତିହାସରେ ସୁଶ୍ରୀ ଟ୍ରସ୍‍ ପ୍ରଥମ ପ୍ରଧାନମନ୍ତ୍ରୀ, ଯିଏ ମାତ୍ର ୪୪ ଦିନରେ
ଇସ୍ତଫା ଦେଇଛନ୍ତି । ସେ ମଧ୍ୟ କ୍ୟାବିନେଟ୍‍ ବୈଠକ ପରେ ବଙ୍କିଙ୍ଗହାମ
ପ୍ୟାଲେସ୍‍ ଯାଇ କିଙ୍ଗ୍‍ ଚାର୍ଲସଙ୍କୁ ସାକ୍ଷାତ କରିବେ ।
ରୁଷି ସୁନାକ୍‍ ପ୍ରଧାନମନ୍ତ୍ରୀ ଭାବେ ଚୟନ ହେବା ପରେ କହିଛନ୍ତି ସେ
ଦେଶର ସଂକଟଜନକ ଆର୍ଥିକ ପରିସ୍ଥିତିରେ ସ୍ଥିରତା ଆଣିବା ଲାଗି ସମସ୍ତ
ପଦକ୍ଷେପ ଗ୍ରହଣ କରିବେ । ଗଣମାଧ୍ୟମକୁ ଶ୍ରୀ ସୁନାକ୍‍ କହିଛନ୍ତି ବ୍ରିଟେନ
ହେଉଛି ଏକ ମହାନ ଦେଶ ଏବଂ ସେଠାରେ ଅର୍ଥନୈତିକ ଆହ୍ୱାନ ରହିବା
ଚିନ୍ତାର ବିଷୟ ।
ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ବୋରିସ୍‍ ଜନ୍‍ସନ ଏବଂ ପେନି
ମଡାଣ୍ଟ ପ୍ରମୁଖ ପ୍ରତିଯୋଗୀ ଥିବା ବେଳେ ଶେଷ ମୁହୂର୍ତ୍ତରେ ଉଭୟ ଏହି
ଦୌଡ଼ରୁ ଓହରି ଯାଇଥିଲେ । ଅନ୍ୟପକ୍ଷରେ ପେନି ମଡାଣ୍ଟ ତାଙ୍କ ଦଳର
ସମସ୍ତ ସଦସ୍ୟଙ୍କୁ ରୁଷି ସୁନାକଙ୍କୁ ସମର୍ଥନ କରିବା ବିଷୟ ଘୋଷଣା
କରିଥିଲେ । ଶେଷରେ ୪୨ ବର୍ଷୀୟ ସୁନାକ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ
ହେବା ନେଇ ଘୋଷଣା କରାଯାଇଥିଲା ।
ସୂଚନାଯୋଗ୍ୟ ଗତ ୨ ମାସ ମଧ୍ୟରେ ବ୍ରିଟେନର ୨ ଜଣ ପ୍ରଧାନମନ୍ତ୍ରୀ
ବୋରିସ ଜନସନ ଏବଂ ଲିଜ ଟ୍ରସ୍‍ ଇସ୍ତଫା ଦେବା ପରେ ସେଠାରେ
ରାନୈତିକ ସଂକଟ ସହ ଅର୍ଥନୈତିକ ପରିସ୍ଥିତିରେ ଅସ୍ଥିରତା
ଦେଖାଦେଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରୁଷି
ସୁନାକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ ଟ୍ୱିଟ୍‍ ବାର୍ତ୍ତାରେ ଶ୍ରୀ ମୋଦୀ
ଆଗାମୀ ଦିନରେ ବ୍ରିଟେନ ସହ ଦ୍ୱିପାକ୍ଷିକ ସଂପର୍କରେ ବୃଦ୍ଧି ଏବଂ ଅନ୍ୟାନ୍ୟ
କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

Comments are closed, but trackbacks and pingbacks are open.