ଚଳିତବର୍ଷ ଓଡ଼ିଶାରେ କେବଳ ଶ୍ରୀକ୍ଷେତ୍ର ପୁରୀରେ ହିଁ ରଥଯାତ୍ରା ଅନୁଷ୍ଠିତ ହେବ । ଏହାବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ଆୟୋଜନ କରାଯାଇପାରିବ ନାହିଁ ବୋଲି ସୁପ୍ରିମ୍କୋର୍ଟ ଆଜି ରାୟ ଦେଇଛନ୍ତି । ଏ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରାଯାଇଥିବା ଏକାଧିକ ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି । କୋଭିଡ୍ ନାଇଣ୍ଟିନ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଚାଲେଞ୍ଜକରି ସୁପ୍ରିମ୍କୋର୍ଟରେ ଏକାଧିକ ମାମଲା ଦାୟର କରାଯାଇଥିଲା ।
ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭେଙ୍କଟରମଣାଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କର ଏହା ନୀତିଗତ ନିଷ୍ପତ୍ତି ଏବଂ ଅଦାଲତଙ୍କର ଏ କ୍ଷେତ୍ରରେ ଅଭିଜ୍ଞତା ନ ଥିବାରୁ ସେଥିରେ ହସ୍ତକ୍ଷେପ କରିବେ ନାହିଁ । କୋଭିଡ୍ ନାଇଣ୍ଟିନ୍ ପରିସ୍ଥିତିକୁ ନେଇ କେହି ପୂର୍ବାନୁମାନ କରିପାରିବେ ନାହିଁ । ତେଣୁ ଏ ନେଇ ନିଷ୍ପତ୍ତି ନେବା ଦାୟିତ୍ୱ ସରକାରଙ୍କ ଉପରେ ଛାଡ଼ି ଦିଆଯାଉ । ସୂଚନାଯୋଗ୍ୟ, ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସିଠାରେ ରଥାଯାତ୍ରା ହୋଇପାରିବ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ଶୁଣାଇବା ପରେ କେନ୍ଦ୍ରାପଡ଼ା, ଭଟଲୀ, ନୀଳଗିରି ଓ ବାରିପଦାରେ ରଥଯାତ୍ରା ଆୟୋଜନ ନେଇ ଅନୁମତି ଦେବାକୁ ଓଡ଼ିଶା ହାଇକୋର୍ଟରେ କେତେକ ଆବେଦନ କରାଯାଇଥିଲା । ତେବେ ହାଇକୋର୍ଟ ଏହାକୁ ଖାରଜ କରିବା ପରେ ସମ୍ପୃକ୍ତ ପକ୍ଷ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଏହି ରାୟ ଦେବା ସହ ଅନ୍ୟୁନ ଆସନ୍ତାବର୍ଷ ଭଗବାନ ଏଥିପାଇଁ ଅନୁମତି ଦେବେ ବୋଲି ବିଶ୍ୱାସ ରହିଥିବା କହିଛନ୍ତି ।
ପୁରୀ ରଥଯାତ୍ରା ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବାବେଳେ ଏଥିପାଇଁ ୩ ରଥର କାର୍ଯ୍ୟ ଆପାତତଃ ଶେଷ ପର୍ଯ୍ୟାୟରେ
ପହଞ୍ଚିଛି । ଅପରପକ୍ଷରେ ଅଣସର ଘରେ ଶ୍ରୀଜିଉମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଇତିମଧ୍ୟରେ ଚକା ବିଜେ କରିଛନ୍ତି । ଗତକାଲି ଏକାଦଶୀ ତିଥିରେ ଶ୍ରୀଜିଉମାନଙ୍କ ଦଶମୂଳ ମହୋଷଧି ଓ ପଣା ଭୋଗ ଅର୍ପଣ କରାଯାଇଥିଲା । ଆଜି ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେଉଛି । ଦଇତାପତି ଓ ପତିମହାପାତ୍ର ସେବକ ଅନ୍ୟାନ୍ୟ ସେବାୟତଙ୍କ ସହ ଶ୍ରୀନଅରକୁ ଯାଇ ମହାପ୍ରଭୁଙ୍କ ସୁସ୍ଥ ହେବା ସମ୍ପର୍କରେ ଗଜପତି ମହାରାଜଙ୍କୁ ଅବଗତ କରାଇବେ । ସେବାୟତମାନେ ଏକ ରୂପା ଥାଳିରେ ପାଟବସ୍ତ୍ର ସହ କରାଳ
ଚନ୍ଦନ ଶ୍ରୀନଅରକୁ ନେଇ ମହାରାଜାଙ୍କୁ ପ୍ରଦାନ କରିବାର ବିଧି ରହିଛି ।