ପୁରୀ ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା

0 90

ପୁରୀ ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସାଙ୍ଗରେ ଧରି ନଅଦିନ ଲାଗି ଘୋଷଯାତ୍ରାରେ ଗୁଣ୍ଡିଚାଘରକୁ ଯିବେ । ଶ୍ରୀଜୀଉଙ୍କର ରତ୍ନବେଦୀରୁ ଜନ୍ମବେଦୀକୁ ଯିବା ପାଇଁ ସମସ୍ତ ରୀତିନୀତି ଯଥାରୀତି ଚାଲିଛି । ଚଳିତବର୍ଷ ମଧ୍ୟ ସଂପୂର୍ଣ୍ଣ କୋଭିଡ
କଟକଣା ମଧ୍ୟରେ ବିନା ଭକ୍ତରେ ଏହି ରଥଯାତ୍ରା ଅନୁଷ୍ଠିତ ହେଉଛି ।

ଭୋର ସାଢ଼େ ୪ଟାରେ ମଙ୍ଗଳ ଆଳତୀ ସହ ଠାକୁରଙ୍କର ଅନ୍ୟାନ୍ୟ ସେବାନୀତି ଆରମ୍ଭ ହୋଇଥିଲା । ଏବେ ବଡ଼ଦାଣ୍ଡରେ ତିନି ରଥଙ୍କ ପ୍ରତିଷ୍ଠା କାର୍ଯ୍ୟ ଚାଲିଛି । ଏହା ପରେ ଠାକୁରଙ୍କର ଧାଡ଼ିପହଣ୍ଡି ବିଜେ ଆରମ୍ଭ ହେବ । ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ପହଣ୍ଡି ଏବଂ ଅପରାହ୍ନ ୨ଟା ସୁଦ୍ଧା ଛେରାପହଁରା କାର୍ଯ୍ୟ ସଂପନ୍ନ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି ।


ଅପରାହ୍ନ ୩ଟାରେ ରଥଟଣା ଆରମ୍ଭ ହେବ । କେବଳ ସେବାୟତ, ପୁଲିସ୍‍ କର୍ମଚାରୀ ଏବଂ ମନ୍ଦିର ପ୍ରଶାସନର କର୍ମଚାରୀ ତିନି ରଥକୁ ଟାଣି ମାଉସୀମା ମନ୍ଦିର ପର୍ଯ୍ୟନ୍ତ ନେବେ । ଅଂଶଗ୍ରହଣ କରୁଥିବା ସମସ୍ତ ସେବାୟତ ଏବଂ କର୍ମଚାରୀଙ୍କର ଆର୍‍ଟି-ପିସିଆର ଟେଷ୍ଟ୍‍ ସରିଛି । ଗତକାଲି ରାତି ୮ଟାରୁ ଆସନ୍ତାକାଲି ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ
ଜାରି କରାଯାଇଛି । ରଥଯାତ୍ରକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ କ୍ଲୋଜ୍‍ ସର୍କିଟ୍‍ କ୍ୟାମେରା ଖଞ୍ଜା ଯାଇଛି । କର୍ଫ୍ୟୁ ସମୟରେ କୌଣସି ଜରୁରୀ ଆବଶ୍ୟକତା ହେଲେ ଟୋଲ୍‍ ଫ୍ରି ନମ୍ବର ୧୮୦୦- ୩୪୫୭୪୯୫ର ସହାୟତା ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।


ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ତାଙ୍କର ୬ଜଣ ଅନୁଗାମୀଙ୍କ ସହ ରଥ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ଲାଗି ଆସିବେ । ରଥଯାତ୍ରା ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply