ନୂଆଦିଲ୍ଲୀ .- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଭାରତୀୟ ରେଳବାଇର ବ୍ରଡ଼ଗେଜ ପାଇଁ ୧୦୦% ବିଦ୍ୟୁତକରଣ ବ୍ୟବସ୍ଥା ପ୍ରସ୍ତାବକୁ ମଂଜୁରି ପ୍ରଦାନ କରିଛି । ଏବେ ଭାରତୀୟ ରେଳବାଇର ମୋଟ ୧୦୮ଟି ରୁଟରେ ୧୩,୬୭୫ ରୁଟ କିଲୋମିଟର (୧୬,୫୪୦ କିଲୋମିଟର)ର ବିଦ୍ୟୁତକରଣ କାର୍ୟ୍ୟ କରାଯାଉଛି । ଏଥିପାଇଁ ୧୨,୧୩୪.୫୦ କୋଟି ଟଙ୍କା ବ୍ୟୟ କରାଯାଉଛି । ଏହି ବ୍ରଡ଼ଗେଜ ବିଦ୍ୟୁତକରଣ କାର୍ୟ୍ୟ ୨୦୨୧-୨୨ ମସିହା ସୁଦ୍ଧା ଶେଷ ହେବାର କାର୍ୟ୍ୟକ୍ରମ ରହିଛି । ପ୍ରସ୍ତାବିତ ଏହି ରୁଟମାନଙ୍କରେ ବିଦ୍ୟୁତକରଣ କାର୍ୟ୍ୟ ଶେଷ ହେବା ପରେ ଭାରତୀୟ ରେଳବାଇର କାର୍ୟ୍ୟ ଦକ୍ଷତା ଓ ଏହାର ନେଟୱାର୍କ ଯଥେଷ୍ଟ ବୃଦ୍ଧି ପାଇବ ଏବଂ ଦେଶରେ ୧୦୦% ବ୍ରଡ଼ଗେଜ ବିଦ୍ୟୁତକରଣ କାର୍ୟ୍ୟ ସଂପୂର୍ଣ୍ଣ ହେବ । ଫଳରେ ରେଳସୁରକ୍ଷା, ଦକ୍ଷତା, ବେଗ, ଶକ୍ତି ନିରାପତ୍ତା ଏବଂ ପୋଷଣୀୟତା ମଧ୍ୟ ବୃଦ୍ଧି ପାଇବ । ଏହି କାର୍ୟ୍ୟ ଶେଷହେବା ପରେ ରେଳବାଇ ଇନ୍ଧନ ବାବଦକୁ ବାର୍ଷିକ ୧୩,୫୧୦ କୋଟି ଟଙ୍କା ସଂଚୟ କରିପାରିବ ଏବଂ ବିଦ୍ୟୁତକରଣ ସମୟରେ ପ୍ରାୟ ୨୦.୪ କୋଟି ମାନବ ଦିବସର କାର୍ୟ୍ୟ ସୃଷ୍ଟି ହୋଇପାରିବ ।
ଭାରତୀୟ ରେଳବାଇର ପ୍ରମୁଖ ଟ୍ରଙ୍କ୍ ରୁଟ୍ ଗୁଡିକ ଏବେସୁଦ୍ଧା ବିଦ୍ୟୁତକରଣ ହୋଇକାର୍ୟ୍ୟ କରୁଛି । ରେଳ ଟ୍ରାଫିକ୍ ବ୍ୟବସ୍ଥାକୁ ସାରା ଦେଶରେ ନିରବଚ୍ଛିନ୍ନ ଓ ସମସ୍ୟା ରହିତ କରିବା ଉଦ୍ଦେଶ୍ୟରେ ଏଭଳି ବିଦ୍ୟୁତକରଣ ଏକାନ୍ତ ଜରୁରି ଏବଂ ସରକାର ତଦନୁଯାୟୀ ଏଭଳି କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି । ଏହାଦ୍ୱାରା ଟ୍ରାକସନ୍ ପରିବର୍ତ୍ତନ କରାଯିବାର ଆବଶ୍ୟକତା ପଡ଼ିବନାହିଁ । ପ୍ରସ୍ତାବିତ ବିଦ୍ୟୁତକରଣ ମୁଖ୍ୟତଃ ମିସିଂଲିଙ୍କ୍ ଏବଂ ଶେଷ ପର୍ୟ୍ୟାୟ ସଂଯୋଗୀକରଣ ଯାହାକି ରେଳ ଚଳାଚଳର କାର୍ୟ୍ୟଦକ୍ଷତା ବୃଦ୍ଧିକରିବା ସହ ଲାଇନ ଦକ୍ଷତା ବୃଦ୍ଧି ଏବଂ ଟ୍ରେନମାନଙ୍କ ହାରାହାରି ବେଗରେ ବୃଦ୍ଧି ଘଟାଇବ ।
ଏହାଯୋଗୁ ବିଦେଶରୁ ରେଳ ଇନ୍ଧନ ସକାଶେ ଆମଦାନି କରାଯାଉଥିବା ଜୀବାଷ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ରହିବ ନାହିଁ ଓ ତଦ୍ୱାରା ଦେଶର ଶକ୍ତି ନିରାପତ୍ତା ସୁରକ୍ଷିତ ହୋଇପାରିବ । ଏହି ଯୋଜନାବଦ୍ଧ ବିଦ୍ୟୁତକରଣ ପରେ, ହାଇସ୍ପିଡ଼ ଡ଼ିଜେଲ ବ୍ୟବହାରରେ ବାର୍ଷିକ ୨.୮୩ ବିଲିୟନ୍ ଲିଟର ହ୍ରାସ ଘଟିବ ତଥା ଜିଏଚଜି ନିର୍ଗମନ ମାତ୍ରା ହ୍ରାସ ପାଇବ । ରେଳବାଇ ପର୍ୟ୍ୟାବରଣ ଉପରେ ପକାଉଥିବା ପ୍ରଭାବ ମଧ୍ୟ କମିବ ।
ଅଧୁନା ଭାରତୀୟ ରେଳବାଇର ଦୁଇତୃତୀୟାଂଶ ମାଲବାହୀ ଗାଡ଼ି ଏବଂ ଅର୍ଦ୍ଧାଧିକ ପାସେଞ୍ଜର ଟ୍ରେନ୍ ବିଜୁଳିଶକ୍ତ ଯୋଗେ ଯାତାୟାତ କରୁଛନ୍ତି । କିନ୍ତୁ ବିଦ୍ୟୁତ ଟ୍ରାକସନ୍ ଏବେସୁଦ୍ଧା ମାତ୍ର ୩୭%ରେ ସୀମିତ ରହିଛି । ସମଗ୍ର ବିଦ୍ୟୁତକରଣ ଫଳରେ ରେଳବାଇ ବାର୍ଷିକ ୧୩,୫୧୦ କୋଟି ଟଙ୍କା ସଂଚୟ କରିବ ବୋଲି ଆକଳନ କରାଯାଇଛି । ଏହି ମହତ୍ୱାକାଂକ୍ଷୀ କାର୍ୟ୍ୟକ୍ରମ ଶେଷହେବା ପରେ ଭାରତୀୟ ରେଳ ବ୍ୟବସ୍ଥାର ବିକାଶ ଯାତ୍ରା ଆଉ ଏକ ପର୍ୟ୍ୟାୟରେ ପହଂଚିବ । ଦେଶର ଏହା ବିକାଶ ଇଞ୍ଜିନ ପାଲଟିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି