ଭୁବନେଶ୍ୱର ୨୨।୦୨।୨୦୨୦ —-ପଶ୍ଚିମବଙ୍ଗ ଏବଂ ବାଙ୍ଗଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୩ରୁ ୨୬ ତାରିଖ ଚାରି ଦିନ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୨୩ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ସମ୍ବଲପୁର ଓ ମୟୂରଭଞ୍ଜରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ୨୪ ତାରିଖରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷାର ହେବାର ସମ୍ଭାବନା ରହିଛି ।
ଓଡ଼ିଶାରେ ଖେଳାଯିବାକୁ ଥିବା ଦେଶର ସର୍ବପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାକୁ ଆଜି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଟକର ଜବାହରଲାଲ ନେହେରୁ ଇଣ୍ଡୋର୍ ଷ୍ଟାଡିୟମ୍ଠାରେ ଉଦ୍ଘାଟନୀ ସମାରୋହରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟପାର ରାଷ୍ଟ୍ରମନ୍ତ୍ରୀ କିରେନ୍ ରିଜିଜୁ ମଧ୍ୟ ଉପସ୍ଥିତ ରହିବେ । ୧୭ଟି ଇଭେଣ୍ଟ ମଧ୍ୟରୁ ଟେବୁଲ୍ ଟେନିସ୍ ଓ ବ୍ୟାଡ୍ମିଣ୍ଟନ କଟକରେ ଅନୁଷ୍ଠିତ ହେବାକୁ ଥିବାବେଳେ ଅନ୍ୟ ପ୍ରତିଯୋଗୀତାଗୁଡ଼ିକ କଳିଙ୍ଗ ଷ୍ଟାଡିୟମ୍ ଓ କିଟ୍ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ୍ରେ ଖେଳାଯିବ । ଦେଶର ପ୍ରାୟ ୧୫୦ଟି ବିଶ୍ୱବିଦ୍ୟାଳୟର ୩ ହଜାର ୫୦୦ ପ୍ରତିଯୋଗୀ ଏଥିରେ ଭାଗ ନେଉଛନ୍ତି । ରାଜ୍ୟ ସରକାର ଓ କିଟ୍ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତା ଆସନ୍ତା ମାର୍ଚ୍ଚ ମାସ ୧ ତାରିଖରେ ଶେଷ ହେବ ।