ବୁଲବୁଲ ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା

0 2,836

ଭୁବନେଶ୍ୱର – ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ବୁଲ୍‍ବୁଲ୍‍’ ବର୍ତ୍ତମାନ ପାରାଦ୍ୱୀପଠାରୁ ୪୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଉତ୍ତର-ଉତ୍ତର ଦକ୍ଷିଣ ଆଡ଼କୁ ଗତି କରୁଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅତି ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେବା ଆଶଙ୍କା କରାଯାଉଛି । ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆଜି ଅପରାହ୍ଣରୁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି ପାଣିପାଗ
ବିଭାଗ ପୂର୍ବାନୁମାନ କରିଛି । ଏହି ସମୟ ମଧ୍ୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ସେହିଭଳି ଆସନ୍ତାକାଲି ଏହାର ପ୍ରଭାବ ଅଧିକ ରହିବ ବୋଲି ଜଣାପଡ଼ିଛି । ଆସନ୍ତାକାଲି
ପବନର ବେଗ ଘଣ୍ଟାପ୍ରତି ୯୦ କିଲୋମିଟରକୁ ବୃଦ୍ଧି ପାଇବା ସହ ବର୍ଷାର ତୀବ୍ରତା ମଧ୍ୟ ବଢ଼ିବ । ରାଜ୍ୟର ସମସ୍ତ ବନ୍ଦରଗୁଡ଼ିକରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍‍ କମିଶନର୍‍ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ୯ଟି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସଜାଗ ରହିବାପାଇଁ
ପରାମର୍ଶ ଦିଆଯାଇଛି । ପ୍ରବଳ ପବନ ଓ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା, ପୁରୀ ଓ ଜଗତ୍‍ସିଂହପୁର ଜିଲ୍ଲାର ଜିଲ୍ଲାପାଳମାନେ ଆଜି ଓ ଆସନ୍ତାକାଲି ଦୁଇ ଦିନପାଇଁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି । ସେହିପରି ଆସନ୍ତାକାଲି ଆଉ ୬ଟି ଜିଲ୍ଲାର ଶିକ୍ଷାନୁଷ୍ଠାନ ବନ୍ଦ୍‍ ରହିବ ବୋଲି ଘୋଷଣା କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା – ଭଦ୍ରକ, ବାଲେଶ୍ୱର, କଟକ, ଯାଜପୁର, ଖୋର୍ଦ୍ଧା ଓ ମୟୂରଭଞ୍ଜ । ବିଭିନ୍ନ ଜିଲ୍ଲାକୁ ଏନ୍‍.ଡି.ଆର୍‍.ଏଫ୍‍. ଓ ଓଡ୍ରାଫ୍‍ ଟିମ୍‍ ପଠାଯାଇଛି । ବାତ୍ୟାର ପ୍ରଭାବରେ କଚ୍ଚାଘର, ଆଜ୍‍ବେଷ୍ଟସ୍‍, ଦୁର୍ବଳ ନଦୀବନ୍ଧ, ବିଦ୍ୟୁତ୍‍ ବଣ୍ଟନ ବ୍ୟବସ୍ଥା, ଟେଲି ଯୋଗାଯୋଗ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଏହାର ପୁନଃସ୍ଥାପନ ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ଅସିତ୍‍ କୁମାର ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷତଃ ପାଚିଲା ଫସଲ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିବାରୁ ସେସବୁକୁ କ୍ଷେତରୁ ନିରାପଦ ସ୍ଥାନକୁ ନେଇ ଆସିବା ନିମନ୍ତେ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ।
ଇତି ମଧ୍ୟରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ସହ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ବୁଲ୍‍ବୁଲ୍‍’ ନେଇ ସମୀକ୍ଷା କରିଛନ୍ତି । ବାତ୍ୟାପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇ ଉପକୂଳ ଅଞ୍ଚଳରେ ୨୪ ଘଣ୍ଟିଆ ଅନୁଧ୍ୟାନ ବ୍ୟବସ୍ଥା ଆରମ୍ଭ କରାଯାଇଥିବା ରାଜ୍ୟର ମୁଖ୍ୟ ଶାସନ ସଚିବମାନେ ଅବଗତ କରାଇଥିଲେ । ସେହିଭଳି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାପାଇଁ ପରାମର୍ଶ ଦିଆଯାଇଛି । ଧନଜୀବନ ହାନିକୁ ଯଥାସମ୍ଭବ ଏଡ଼ାଇବା ଲାଗି
ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦିଆଯିବ ବୋଲି ସେ ରାଜ୍ୟ ସରକାରଙ୍କୁ କହିଛନ୍ତି ।

Leave A Reply