ନୂଆଦିଲ୍ଲୀ – କୋଭିଡ ନାଇଣ୍ଟିନ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦାଦନ ଶ୍ରମିକଙ୍କ ପରିବାରବର୍ଗଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରାଯିବ । ମାଲ ପରିବହନ ଏବଂ ଡିଲର ଦେୟ ସମେତ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି କେନ୍ଦ୍ର ଖାଦ୍ୟ ଓ ଖାଉଟୀ ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶୱାନ କହିଛନ୍ତି ।
ସେ କହିଛନ୍ତି ଏହାଦ୍ୱାରା ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ସାମିଲ ହୋଇନଥିବା ୮କୋଟି ଦାଦନ ଶ୍ରମିକ ସୁଫଳ ପାଇବେ । ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହିଭଳି ହିତାଧିକାରୀଙ୍କୁ ଚିହ୍ନଟ କରି ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଖାଦ୍ୟଶସ୍ୟ ଆବଣ୍ଟନ କରିବେ । ଗୋଟିଏ ଦେଶ ଗୋଟିଏ କାର୍ଡ ଯୋଜନାକୁ ପ୍ରଚଳନ କରିବା ଲାଗି ବିଭାଗ ପକ୍ଷରୁ ସମନ୍ୱିତ ସାଧାରଣ ବଣ୍ଟନ ପଦ୍ଧତି ପରିଚାଳନା ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ଶ୍ରୀ ପାଶୱାନ ସୂଚନା ଦେଇଛନ୍ତି ।