୮ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଲକ୍ଷ୍ୟ ହାସଲ
ନୂଆଦିଲ୍ଲୀ – ଧାର୍ଯ୍ୟ ସମୟର ୮ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ଲକ୍ଷ୍ୟ ହାସଲ ହୋଇଛି । ୨୦୧୯ ମାର୍ଚ୍ଚ ସୁଦ୍ଧା ୫ କୋଟି ଉଜ୍ଜଳା ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଲାଗି ଲକ୍ଷ୍ୟ ରଖାଯାଇଥିବାବେଳେ ତାହା ଆଜି ହାସଲ ହୋଇଯାଇଛି । ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଶୁକ୍ରବାର ଦିନ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ଶ୍ରୀମତୀ ତକରିଦିରାନଙ୍କୁ ୫ କୋଟିତମ ହିତାଧିକାରୀ ଭାବେ ସିଲିଣ୍ଡର ପ୍ରଦାନ କରିଛନ୍ତି ।
ଏହି ଅବସରରେ ଶ୍ରୀମତୀ ମହାଜନ କହିଥିଲେ ଯେ ମହିଳା ମାନଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ସିଲିଣ୍ଡର ମିଳିବା ପରେ ଏହାକୁ ବ୍ୟବହାର କରିବା ଦ୍ୱାରା ସେମାନଙ୍କୁ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଲାଭ ମିଳିଛି । ଏହା ସହିତ ମହିଳା ମାନଙ୍କର ସମୟ ବଂଚିବା ସହ ସେମାନେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସୁରକ୍ଷିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଗତ ୨୦୧୬ ମଇ ମାସ ୧୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଆରମ୍ଭ କରିଥିଲେ । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏହା ଅଧୀନରେ ଥିବା ତୈଳ ବିପଣନ କମ୍ପାନୀ ଆଇଓସିଏଲ, ବିପିସିଏଲ ଓ ଏଚପିସିଏଲର ଦେଶ ସାରା ଥିବା ନେଟବର୍କ ଜରିଆରେ ଏହି ଯୋଜନାର କ୍ରିୟାନ୍ୱୟନ କରିଥିଲେ । ଏହି ଯୋଜନାରେ ପ୍ରଥମେ ୩୧ ମାର୍ଚ ୨୦୧୯ ଯାଏ ପାଂଚ କୋଟି ବିପିଏଲ ପରିବାରର ମହିଳା ହିତାଧିକାରୀଙ୍କୁ ମାଗଣାରେ ସିଲିଣ୍ଡର ପ୍ରଦାନ କରିବାର ଲକ୍ଷ୍ୟ ରଖା ଯାଇଥିଲା । ତେବେ ଏହି ଯୋଜନାର ଶୁଭାରମ୍ଭ ହେବାର ୨୮ ମାସର ରେକର୍ଡ ସମୟ ଭିତରେ ୫ କୋଟି ବିପିଏଲ ମହିଳା ହିତାଧିକାରୀଙ୍କୁ ମାଗଣାରେ ସିଲିଣ୍ଡର ପ୍ରଦାନ କରିବାର ଲକ୍ଷ୍ୟ ହାସଲ କରାଯାଇଛି । ଏହି ଯୋଜନାର ସଫଳତାକୁ ଆଖି ଚଳିତ ବର୍ଷରେ ଲକ୍ଷ୍ୟକୁ ବଢା ଯାଇ ୮ କୋଟି ମହିଳା ହିତାଧିକାରୀଙ୍କ ପାଖକୁ ସିଲିଣ୍ଡର ପହଂଚାଇବାର ଲକ୍ଷ୍ୟ ଧ୍ୟାର୍ଯ୍ୟ କରା ଯାଇଛି । ଉତର ପ୍ରଦେଶରେ ୮୭ ଲକ୍ଷ, ପଶ୍ଚିମ ବଙ୍ଗରେ ୬୭ ଲକ୍ଷ, ବିହାରରେ ୬୧ ଲକ୍ଷ, ମଧ୍ୟ ପ୍ରଦେଶର ୪୫ ଲକ୍ଷ, ରାଜସ୍ଥାନରେ ୩୭ ଲକ୍ଷ ଓ ଓଡିଶାରେ ୩୦ ଲକ୍ଷ ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆ ଯାଇଛି । ଏହା ମୋଟ ସଂଯୋଗର ୬୫ ପ୍ରତିଶତ । ଏହି ଯୋଜନାରେ ହିତାଧିକାରୀ ମାନଙ୍କ ମଧ୍ୟରେ ୪୭ ପ୍ରତିଶତ ହେଉଛନ୍ତି ସମାଜର ଦୁର୍ବଳ ଶ୍ରେଣୀର ଅର୍ଥାତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ।