ଆଜି ଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ପହିଲି ଭୋଗ ନୀତି ଆରମ୍ଭ ହୋଇଛି । ଧନୁସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ
ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଏହି ସମୟରେ ମହାଲକ୍ଷ୍ମୀ ବାପଘରକୁ ଯାଉଥିବାରୁ ବଡିସକାଳୁ ମା’ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ସୁଭଦ୍ରାଙ୍କୁ ଖାଇବାକୁ ଦେଇଥାନ୍ତି ବୋଲି ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶ୍ୱାସ ରହିଛି ।
ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଏହି ମାସରେ ଭୋର ୩ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇ ରାତି ୧୧ଟାରେ ରାତ୍ରପହୁଡ କରାଯିବାକୁ ସ୍ଥିର ହୋଇଛି ।