ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପରିସ୍ଥିତି  ଉପରେ ନଜର ରଖିବା ଓ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ୧୨ ଜଣ ଓଏଏସ୍‍ ଅଧିକାରୀଙ୍କୁ….

0 4,533

 

ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପରିସ୍ଥିତି  ଉପରେ ନଜର ରଖିବା ଓ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ୧୨ ଜଣ ଓଏଏସ୍‍ ଅଧିକାରୀଙ୍କୁ ସେଠାକୁ ପଠାଇଛନ୍ତି । ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼କୁ ଏହି ୧୨ ଜଣ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କୁ ପଠାଯାଇଛି । ଏମାନେ କରୋନା ନିୟନ୍ତଣ କ୍ଷେତ୍ରରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ ।

 

ବାଲେଶ୍ୱର ଜିଲ୍ଲାରେ କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ କେନ୍ଦ୍ର ଏମ୍‍ଏସ୍‍ଏମ୍‍ଇ ଓ ପଶୁସମ୍ପଦ ବିକାଶ ରାଷ୍ଟ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡଙ୍ଗୀ ସମୀକ୍ଷା  କରିଛନ୍ତି । ଅକ୍ସିଜେନ୍‍ ଯୋଗାଣ, କୋଭିଡ ହସ୍‍ପିଟାଲ ପ୍ରସ୍ତୁତି ଏବଂ ଟିକାକରଣ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହି କେନ୍ଦ୍ରମନ୍ତ୍ରୀଙ୍କୁ ସମସ୍ତ ବିଷୟରେ ଅବଗତ କରାଇଥିଲେ ।

 

ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ଆଜି ଭୀମଭୋଇ କଲେଜ ହସ୍‍ପିଟାଲ ପରିଦର୍ଶନ କରି ରୋଗୀସେବା ଓ ଅନ୍ୟାନ୍ୟ ସ୍ଥିତି ତଦାରଖ କରିଛନ୍ତି । ପରେ ସେ କୋଭିଡ୍‍ କେୟାର ୟୁନିଟ୍‍କୁ ଯାଇ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । କେନ୍ଦ୍ରସରକାରଙ୍କ ତରଫରୁ ପର୍ଯ୍ୟାପ୍ତ ଅନୁଦାନ ଯୋଗାଇ ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାର ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼, ପାଟଣାଗଡ଼ ଓ କଣ୍ଟାବାଞ୍ଝି ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ କୋଭିଡ୍‍ କେୟାର ସେଣ୍ଟର ଖୋଲିବା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଖିଦୃଶିଆ ପଦକ୍ଷେପ ନେଇ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି । ସାଂସଦଙ୍କ ନିଜସ୍ୱ ପାଣ୍ଠିରୁ ବଲାଙ୍ଗିର, ଟିଟିଲାଗଡ଼ ଓ ପାଟଣାଗଡ଼ଠାରେ ଥିବା ଡାକ୍ତରଖାନାକୁ ଅତ୍ୟାଧୁନିକ ସଟି ସ୍କାନ ମେସିନ୍‍ ଯୋଗାଇ ଦିଆଯିବ ବୋଲି ସାଂସଦ ଶ୍ରୀମତୀ ସିଂହଦେଓ ପ୍ରତିଶ୍ରୁତି ଦେଇଛନ୍ତି ।

 

କରୋନା ମୁକାବିଲା ଲକ୍ଷ୍ୟରେ ବ୍ରହ୍ମପୁର ଏମ୍‍କେସିଜି ମେଡିକାଲ କଲେଜ ଓ ହସ୍‍ପିଟାଲରେ ନୂତନ ଭାବେ ଖୋଲିଥିବା ସୁପର ସ୍ପେଶିଆଲିଟି ବିଭାଗରେ ୩୦୦ ଶଯ୍ୟା ବିଶିଷ୍ଟ ଦ୍ୱିତୀୟ କୋଭିଡ୍‍ କେୟାର ହସ୍‍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ସମସ୍ତ ଶଯ୍ୟାରେ ଅକ୍ସିଜେନ୍‍ ସଂଯୋଗ ରହିଛି ଓ ୫୪ଟି ଆଇସିୟୁ ରହିଛି । ପୂର୍ବରୁ ୧୫୦ ଶଯ୍ୟା କୋଭିଡ୍‍ କେୟାର ହସ୍‍ପିଟାଲ ଏବଂ ସେଥିରେ ୨୪ଟି ଆଇସିୟୁ ଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ୩ଟି ଚିକିତ୍ସାକେନ୍ଦ୍ର ପ୍ରସ୍ତୁତ କରାଯାଇଛି । ମେଡିକାଲ କଲେଜ ଓ ହସ୍‍ପିଟାଲରେ ୨ଟି ଏବଂ ସିଟି ହସ୍‍ପିଟାଲରେ ଗୋଟିଏ ଚିକିତ୍ସାକେନ୍ଦ୍ର ଖୋଲାଯାଇଛି ।

ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏକ ସ୍ୱତନ୍ତ୍ର ବୈଠକରେ କହିଛନ୍ତି ଯେ, କରୋନା ପରିଚାଳନା ସମୟରେ କୌଣସି ଉନ୍ନୟନ କାର୍ଯ୍ୟ ବନ୍ଦ ରହିବ ନାହିଁ । ଯନ୍ତ୍ରୀମାନଙ୍କୁ କରୋନା ପରିଚାଳନାରେ ନିୟୋଜିତ କରାଯାଇ ନାହିଁ । ତେଣୁ ସମସ୍ତ ଉନ୍ନୟନ କାର୍ଯ୍ୟ ପୂର୍ବଭଳି ଚାଲୁ ରଖିବାକୁ ପରାମର୍ଶ ଦେଇଛନ୍ତି । ଇତିମଧ୍ୟରେ ଜିଲ୍ଲାକୁ ୧୭ ହଜାର ୭୭୧ ଜଣ ପ୍ରବାସୀ ଫେରିଥିବା ଜଣାପଡିଛି ଯାହା ଗତବର୍ଷ ତୁଳନାରେ ବହୁତ କମ୍‍ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave A Reply