ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନବଭାରତ ନୂଆ ନୂଆ କ୍ଷେତ୍ରକୁ ସମ୍ପ୍ରସାରିତ ହେବା ସହ ବିଶ୍ୱରେ ଏକ ଛାପ ଛାଡ଼ିଛି । ସେ କହିଛନ୍ତି, କୋଭିଡ୍ ହେଉଛି ଏହାର ସର୍ବବୃହତ ଉଦାହରଣ । ପ୍ରଧାନମନ୍ତ୍ରୀ କହିଛନ୍ତି, କୋଭିଡ୍ ସମୟରେ ଦେଶର ସାମର୍ଥ୍ୟକୁ ନେଇ କିଛି ଲୋକ ସନ୍ଦିହାନ ଥିଲେ କିନ୍ତୁ ଭାରତ ଆଜି ବିଶ୍ୱର ସର୍ବବୃହତ ପ୍ରତିଷେଧକ ଉତ୍ପାଦନକାରୀ ଦେଶରେ ପରିଣତ ହୋଇଛି । ସେ କହିଛନ୍ତି, ବିଶ୍ୱବାସୀ ବର୍ତ୍ତମାନ ଭାରତର ଉଦାହରଣ ଦେଉଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ବିଶ୍ୱର ସର୍ବବୃହତ ଷ୍ଟାର୍ଟ୍ଅପ୍ ଇକୋ ସିଷ୍ଟମ୍ ରାଷ୍ଟ୍ରର ମର୍ଯ୍ୟଦା ଲାଭ କରିଛି ।
ପ୍ରଧାନମନ୍ତ୍ରୀ ତାଙ୍କର ବାସଭବନରେ ଶିଖ୍ ସମ୍ପ୍ରଦାୟର ଏକ ପ୍ରତିନିଧି ଦଳ ସହ କଥାବାର୍ତ୍ତା କରିବା ଅବସରରେ ଏହା କହିଛନ୍ତି । ସେ କହିଛନ୍ତି, ଦେଶର ବିକାଶରେ ଶିଖ୍ ସମ୍ପ୍ରଦାୟର ଭୂମିକା ଓ ଉଦ୍ୟମ ପ୍ରଶଂସନୀୟ । ଭାରତ ଓ ଅନ୍ୟ ଦେଶ ଗୁଡ଼ିକ ମଧ୍ୟରେ ସମ୍ପର୍କ ବୃଦ୍ଧି କ୍ଷେତ୍ରରେ ସେମାନେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି । ଶିଖ୍ ଗୁରୁମାନଙ୍କ ଅବଦାନ ବିଷୟ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଶିଖ୍ ଧର୍ମଗୁରୁମାନେ ସାହସିକତାର ଶିକ୍ଷା ଦେବା ସହ ଲୋକମାନଙ୍କ ମଧ୍ୟରେ ସେବାଭାବର ବିକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଗୁରୁ ନାନକ ଦେବ ଜୀ ସମଗ୍ର ଦେଶକୁ ଜ୍ଞାନର ଆଲୋକରେ ଆଲୋକିତ କରିଛନ୍ତି ଓ ସତ୍ୟର ପଥ ପ୍ରଦର୍ଶନ କରିଛନ୍ତି । ଶିଖ୍ ପରମ୍ପରା ‘ଏକ୍ ଭାରତ ଶ୍ରେଷ୍ଠ ଭାରତ’ର ପ୍ରକୃତ ଉଦାହରଣ । ଶିଖମାନଙ୍କର ଧର୍ମସ୍ଥଳୀଗୁଡ଼ିକୁ ଉତ୍ତମ ମୌଳିକ ଢାଞ୍ଚା ଯୋଗାଇବା ଦିଗରେ ସରକାର ଅନେକ ପଦକ୍ଷେପ ନେଇଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ଆଜି ଲକ୍ଷ ଲକ୍ଷ ଶିଖ୍ ଧର୍ମାବଲମ୍ବୀ କର୍ତ୍ତାରପୁର ସାହିବ କରିଡ଼ର ଦେଇ ଗୁରୁଦ୍ୱାରା ଗୁଡ଼ିକରେ ପ୍ରାର୍ଥନା କରିପାରୁଛନ୍ତି ।
ଏହି ଅବସରରେ କେନ୍ଦ୍ର ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପ୍ରତିନିଧି ଦଳରେ ଶିଖ୍ ସମ୍ପ୍ରଦାୟର ବିଭିନ୍ନ ବର୍ଗର ଲୋକମାନେ ଥିଲେ ।
Comments are closed, but trackbacks and pingbacks are open.