ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା – ଗ୍ରହଣ କରାଯାଇଛି ଏହି ବ୍ୟବସ୍ଥା
ଭୁବନେଶ୍ୱର ୧୮।୦୨ – ବୁଧବାରରେ ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ସ୍ପର୍ଶ ଦିଆଯାଇଛି । ଚଳିତବର୍ଷ ୫ ଲକ୍ଷ ୪୭ ହଜାର ୭୮୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ୨ ହଜାର ୭୬୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।
ହାଇସ୍କୁଲ୍ ସାର୍ଟିଫିପେଟ୍ ଏକ୍ଜାମିନେସନ୍ – ମାଟ୍ରିକ୍ ପରୀକ୍ଷା ଦେଉଥିବା ସବୁ ବିଦ୍ୟାର୍ଥୀଙ୍କ ଜୀବନର ଶ୍ରେଷ୍ଠ ପରୀକ୍ଷା ହୋଇଥିବାରୁ ଏହା ଉଭୟ ଛାତ୍ରୀଛାତ୍ରୀ ଓ ଅଭିଭାବକଙ୍କ ପାଇଁ ବେଶ୍ ଗୁରୁତ୍ୱ ବହନ କରେ । ତେଣୁ ପରୀକ୍ଷା ସମୟରେ ଛାତ୍ରଛାତ୍ରୀ ନିଜକୁ ଚାପମୁକ୍ତ ରଖି ହଲ୍ରେ ପ୍ରବେଶ କରିବା ଆବଶ୍ୟକ । ସହଜବୋଧ ହେଉଥିବା ତଥା ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନର ପ୍ରଥମେ ଅଗ୍ରାଧିକାର ଭିତ୍ତିରେ ଉତ୍ତର ଲେଖିବାପାଇଁ ପରୀକ୍ଷାର୍ଥୀମାନଙ୍କୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ପ୍ରଥମ ଦିନରେ ମାତୃଭାଷା ଥିବାବେଳେ ପିଲାମାନଙ୍କୁ ହଲ୍ରେ ପ୍ରଥମେ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ଓ ପରେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଯୋଗାଇ ଦିଆଯିବ । ପିଲାମାନଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ପରୀକ୍ଷା ହଲ୍ ମଧ୍ୟରେ ହିଁ ଖୋଲାଯିବ ବୋଲି ବୋର୍ଡ଼ ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ।ଏଥର ମାଟ୍ରିକ୍ ପରୀକ୍ଷାରେ କପି ରୋକିବା, ପ୍ରଶ୍ନପତ୍ର ପ୍ରଘଟ ଓ ଅନ୍ୟାନ୍ୟ ପରୀକ୍ଷା ସମ୍ବନ୍ଧୀୟ ବିଭ୍ରାଟକୁ ରୋକିବାପାଇଁ ନାନାବିଧ ପଦକ୍ଷେପ ବୋର୍ଡ଼ ପକ୍ଷରୁ ଗ୍ରହଣ କରାଯାଇଛି ।
ପରୀକ୍ଷା ଖାତା ଗଚ୍ଛିତ ରଖିବା ପାଇଁ ୩୦୭ଟି ନୋଡାଲ୍ କେନ୍ଦ୍ର ହୋଇଥିବା ବେଳେ ଅତି ସମ୍ବେଦନଶୀଳ ତଥା ମାଓପ୍ରବଣ ଅଞ୍ଚଳର ୨୨ଟି ପୁଲିସ୍ ଥାନାରେ ନୋଡାଲ କେନ୍ଦ୍ର କରାଯାଇଛି । ସେଥିମଧ୍ୟରୁ କୋରାପୁଟ ଜିଲ୍ଲାରେ ୫ଟି, କନ୍ଧମାଳ ଜିଲ୍ଲାରେ ୭ଟି ଏବଂ ମାଲକାନଗିରି ଜିଲ୍ଲାରେ ୧୦ଟି କେନ୍ଦ୍ର ରହିଛି । ପରୀକ୍ଷା ପରିଚାଳନାକୁ ସ୍ୱଚ୍ଛ କରିବା ପାଇଁ ଏକହଜାର ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବା ସହ ସ୍କ୍ୱାର୍ଡ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପରୀକ୍ଷାର ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତା ମାର୍ଚ୍ଚ ୨ତାରିଖରେ ଶେଷ ହେବାକୁ ଥିବା ମାଟ୍ରିକ ପରୀକ୍ଷାରେ ଚଳିତବର୍ଷ ୨ ହଜାର ୮୮୮ ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୬୦ହଜାର ୬୦୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ।
ସେମାନଙ୍କ ମଧ୍ୟରେ ୫ଲକ୍ଷ ୪୭ହଜାର ୭୬୧ଜଣ ହାଇସ୍କୁଲ, ୯ ହଜାର ୭୭୧ ଜଣ ରାଜ୍ୟମୁକ୍ତ ବିଦ୍ୟାଳୟ ଓ ୩ ହଜାର ୩୩୭ ଜଣ ମଧ୍ୟମା ପରୀକ୍ଷାର୍ଥୀ ରହିଛନ୍ତି । ଏଥିପାଇଁ ୩୦୭ଟି ନୋଡାଲ ସେଣ୍ଟର ଓ ୬୧ଟି ମୂଲ୍ୟାୟନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।