ରାଜ୍ୟର ବିଭିନ୍ନ ଦେବଦେବୀ ପୀଠରେ ମକର ସଂକ୍ରାନ୍ତି କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେବ । ଏହି ଅବସରରେ ଭିଡ଼କୁ ଦୃଷ୍ଟିରେ ରଖି କେନ୍ଦୁଝର ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିରକୁ ବନ୍ଦ୍ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନର ଓ କେନ୍ଦୁଝର ଜିଲ୍ଲାପାଳଙ୍କ ଚିଠି ଅନୁସାରେ ମନ୍ଦିର ପରିସରକୁ ଭକ୍ତମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ସେହିଭଳି କଟକ ଆଠଗଡ଼ସ୍ଥିତ ବାବା ଧବଳେଶ୍ୱରଙ୍କ ପୀଠରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି । ଏହା ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।
ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ମା’ କାଳୀଯାଇ ପୀଠ ଓ ଚନ୍ଦନପୁର ଥାନା ଅନ୍ତର୍ଗତ ଶିରୁଳି ମହାବୀର ପୀଠରେ ଆସନ୍ତାକାଲି ମକର ସଂକ୍ରାନ୍ତୀ ଦିନ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଉପଜିଲ୍ଲାପାଳ ଭବତାରଣ ସାହୁ ୧୪୪ ଧାରା ଲାଗୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ସକାଳ ୫ଟା ଠାରୁ ରାତି ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।
ସେହିଭଳି ଆସନ୍ତାକାଲିଠାରୁ ୧୭ ତାରିଖ ଯାଏଁ ଗୋପାଳପୁର, ସମେତ ଜିଲ୍ଲାର ସମସ୍ତ ବେଳାଭୂମି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ । ମକର ପର୍ବରେ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି କଟକଣା ଜାରୀ କରିଛନ୍ତି ।