ଭୁବନେଶ୍ୱର – ବିଶ୍ୱବ୍ୟାପୀ ମହାମାରୀର ରୂପ ନେଇଥିବା କରୋନା ଭୂତାଣୁ ସଂକ୍ରମଣ ଏବେ ସଙ୍କଟଜନକ ସ୍ଥିତିରେ ପହଞ୍ଚଥିବାବେଳେ ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଗତକାଲି ଜନତା କର୍ଫ୍ୟୁ ସହିତ ରାଜ୍ୟରେ କେତେକ ଜିଲ୍ଲା ଓ ସହରରେ ଲକ୍ଡାଉନ୍ ଘୋଷଣା କରାଯାଇଥିଲେ ମଧ୍ୟ ଆଜି ସ୍ଥଳବିଶେଷରେ ଜନସାଧାରଣ ଏହାକୁ ସଠିକ୍ ଭାବେ ପାଳନ କରି ନ ଥିଲେ । ଏହି କରୋନା ଭୂତାଣୁ କିଭଳି ଅଧିକ ବ୍ୟାପି ନ ପାରିବ, ସେ ଦୃଷ୍ଟିରୁ ରାଜ୍ୟ ସରକାର ୫ଟି ଜିଲ୍ଲା ପରିବର୍ତ୍ତେ ୧୪ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରିଛନ୍ତି ।
ଏଥିସହିତ ୮ଟି ସହରକୁ ମଧ୍ୟ ଲକ୍ଡାଉନ୍ ଘୋଷଣା କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଉଛି – ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ, ପୁରୀ, ନୟାଗଡ଼, ଯାଜପୁର, ଜଗତ୍ସିଂହପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହିସବୁ ଜିଲ୍ଲାଗୁଡ଼ିକରେ ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଲକ୍ଡାଉନ୍ ସମୟରେ ତେଜରାତି, ପରିବା, ମାଛ, ମାଂସ, ଅଣ୍ଡା ଦୋକାନ ଖୋଲା ରହିବା ସହିତ ପେଟ୍ରୋଲ୍ ପମ୍ପ୍ ଓ ଔଷଧ ଦୋକାନ ଖୋଲା ରହିବ । ସେହିପରି ଡାକ୍ତରଖାନା, ବ୍ୟାଙ୍କ୍, ଏଟି.ଏମ୍.ଏ., ପୌରସେବା, ପୁଲିସ୍, ଅଗ୍ନିଶମ, ଓଡ୍ରାଫ୍, ପାନୀୟ ଜଳ ଓ ବିଦ୍ୟୁତ୍ ସେବା ଜାରି ରହିବ ।