ଆମେରିକାରେ ଥିବା ଭାରତୀୟମାନେ ସେମାନଙ୍କ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଭିତ୍ତିଭୂମିକୁ ଭୂଲିବା ଉଚିତ ନୁହେଁ : ଉପରାଷ୍ଟ୍ରପତି
ଆମେରିକାରେ ଥିବା ଭାରତୀୟମାନେ ସେମାନଙ୍କ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଭିତ୍ତିଭୂମିକୁ ଭୂଲିବା ଉଚିତ ନୁହେଁ : ଉପରାଷ୍ଟ୍ରପତି
ନ୍ୟୁୟର୍କ .- ଆଧ୍ୟାତ୍ମିକ ଓ ସାଂସ୍କୃତିକ ଭିତ୍ତିଭୂମିକୁ ସେମାନେ ଭୁଲିଯିବା ଉଚିତ ନୁହେଁ ବୋଲି ଭାରତର ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡୁ ଆମେରିକାରେ ଥିବା ଭାରତୀୟ ସମ୍ପ୍ରଦାୟଙ୍କୁ କହିଛନ୍ତି ଏବଂ ଏକ ନୂତନ ଭାରତ ନିର୍ମାଣ କରିବାରେ ସେମାନଙ୍କ ଯୋଗଦାନ ପାଇଁ ଆହ୍ୱାନ କରିଛନ୍ତି । ସେ ଆଜି ଆମେରିକାର ଚିଗାଗୋଠାରେ ଅବସ୍ଥିତ ୨୧ଟି ତେଲୁଗୁ ସଂଗଠନର ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଶ୍ରୀ ନଭତେଜ ଶରଣ ଏବଂ ଅନ୍ୟାନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ଭାରତର ମୌଳିକ ମୂଲ୍ୟବୋଧ, ଅନ୍ୟମାନଙ୍କ ମଧ୍ୟରେ ବାଂଟିବାର ବିଶ୍ୱାସ, ସାରା ବିଶ୍ୱକୁ ଗୋଟିଏ ପରିବାର ବୋଲି ମନେ କରିବା-ବସୁଧୈବ କୁଟୁମ୍ବକମ ଆଦିକୁ ଧରି ରଖିବା ପାଇଁ ଉପରାଷ୍ଟ୍ରପତି ସେମାନଙ୍କୁ କହିଥିଲେ । ଭାରତକୁ ବିଶ୍ୱର ଆଧ୍ୟାତ୍ମିକ ରାଜଧାନୀ ବୋଲି ଅଭିହିତ କରି ସେ କହିଥିଲେ ଯେ ଭାରତ ହେଉଛି ବିଶ୍ୱର ଏକ ପ୍ରାଚୀନତମ ସଭ୍ୟତା ମଧ୍ୟରୁ ଅନ୍ୟତମ ଏବଂ ଶୂନ୍ୟଠାରୁ ଯୋଗ ପର୍ୟ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଶତାବ୍ଦୀ ଶତାବ୍ଦୀ ଧରି ଭାରତର ଅତୁଳନୀୟ ଯୋଗଦାନ ସମ୍ବନ୍ଧରେ ସେ ସ୍ମରଣ କରିଥିଲେ ।
ମାତୃଭାଷା, ଦେଶ, ପିତାମାତା ଏବଂ ଗୁରୁ ଯେଉଁମାନେ କି ତୁମ ସଫଳତା ପାଇଁ ଦାୟୀ ସେମାନଙ୍କୁ କେବେ ବି ନଭୁଲିବା ପାଇଁ ଉପରାଷ୍ଟ୍ରପତି କହିଥିଲେ । ଯେଉଁମାନେ ଜୀବନରେ ଆଗକୁ ବଢ଼ିବାକୁ ଚାହାନ୍ତି ସେମାନେ ଅତୀତକୁ କେବେ ବି ନଭୁଲିବା ପାଇଁ ସେ କହିଥିଲେ ।
ଆମେରିକାର ପ୍ରଗତି ପାଇଁ ତେଲୁଗୁ ସମ୍ପ୍ରଦାୟର ଯୋଗଦାନକୁ ପ୍ରଶଂସା କରି ଉପରାଷ୍ଟ୍ରପତି କହିଥିଲେ ଯେ ଅନେକ ତେଲୁଗୁ ବ୍ୟକ୍ତି ବିଭିନ୍ନ ବଡ ବଡ କ୍ଷେତ୍ରରେ କାମ କରିବା ଗର୍ବର ବିଷୟ ।
ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରମୁଖ କ୍ଷେତ୍ରରେ କାମ କରିବା ବେଳେ ଭାରତର ସମୃଦ୍ଧ ସାଂସ୍କୃତିକ ଏବଂ ଐତିହାସିକ ପରମ୍ପରା ସହିତ ସବୁବେଳେ ସଂପୃକ୍ତ ରହିବା ପାଇଁ ସେ ସେମାନଙ୍କୁ କହିଥିଲେ । ଆମେ ଆମ ପରମ୍ପରାକୁ ରକ୍ଷା କରିବା ପାଇଁ ଆମ ପର୍ବପର୍ବାଣୀ ତଥା ଉତ୍ସବମାନଙ୍କୁ ପାଳନ କରିବା ଆବଶ୍ୟକ । ଅନ୍ୟପକ୍ଷରେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ମଜଭୁତ କରିବା ପାଇଁ ଆମେରିକାରେ ରହିଥିବା ତେଲୁଗୁ ତଥା ଅନ୍ୟ ଭାରତୀୟମାନେ ଏକ ପୋଲ ଭଳି କାମ କରୁଛନ୍ତି । ବନ୍ଧୁତ୍ୱର ଭାବକୁ ବୃଦ୍ଧି କରିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା ଆବଶ୍ୟକ ।
ଭାରତକୁ ବିଶ୍ୱର ଦ୍ରୁତତମ ବିକଶିତ ଅର୍ଥବ୍ୟବସ୍ଥା ଭାବେ ଅଭିହିତ କରି ସେ କହିଲେ ଯେ ସାରା ବିଶ୍ୱ ଏବେ ଭାରତ ଆଡକୁ ଦେଖୁଛି, ଯିଏକି ଆଗାମୀ ୧୦-୧୫ ବର୍ଷ ମଧ୍ୟରେ ବିଶ୍ୱର ଏକ ଶ୍ରେଷ୍ଠ ଅର୍ଥବ୍ୟବସ୍ଥାରେ ପରିଣତ ହେବା ଦିଗରେ ଗତି କରୁଛି । “ମୁଁ ଚାହିଁବି ଯେ ଆପଣମାନେ ସମସ୍ତେ ଭାରତର ଏହି ବିକାଶ ଧାରାରେ ସାମିଲ ହୁଅନ୍ତୁ,” ବୋଲି ସେ କହିଥିଲେ ।
ପ୍ରାୟ ୩୨ ନିୟୁତ ଭାରତ ଏବଂ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ବିଶ୍ୱର ବିଭିନ୍ନ ପ୍ରାପ୍ତରେ ବାସ କରୁଥିବାରୁ ସେ ପ୍ରବାସୀ ତେଲୁଗୁମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ ଯେପରି ଭାବେ ଭାରତ ଏବଂ ଭାରତୀୟଙ୍କ ସମ୍ମାନ ବୃଦ୍ଧି କରିବା ପାଇଁ କାର୍ୟ୍ୟ କରିବେ । ସେ ମଧ୍ୟ କହିଥିଲେ ଯେ ସେମାନେ ସେମାନଙ୍କ ଜିଲ୍ଲାମାନଙ୍କରେ ଗ୍ରାମମାନଙ୍କୁ ପାଳିତ ଭାବେ ଗ୍ରହଣ କରନ୍ତୁ ଯେପରିକି ଏଗୁଡ଼ିକ ମଡେଲ ଗ୍ରାମ ଭାବେ ବିକଶିତ ହୋଇପାରିବେ ।