ଭାରତ-କେନିଆ ସଂଯୁକ୍ତ ବାଣିଜ୍ୟ ସମିତି ବୈଠକ ନାଇରୋବିରେ ଅନୁଷ୍ଠିତ

ଭାରତ-କେନିଆ ସଂଯୁକ୍ତ ବାଣିଜ୍ୟ ସମିତି ବୈଠକ ନାଇରୋବିରେ ଅନୁଷ୍ଠିତ

0 390

ନୂଆଦିଲ୍ଲୀ.- ଭାରତ-କେନିଆ ସଂଯୁକ୍ତ ବ୍ୟବସାୟିକ ସମିତିର ଅଷ୍ଟମ ବୈଠକ ଅଗଷ୍ଟ ୨୨ ରୁ ୨୫ ପର୍ୟ୍ୟନ୍ତ କେନିଆର ନାଇରୋବିଠାରେ ଅନୁଷ୍ଠିତ ହୋଇଛି । କେନ୍ଦ୍ରୀୟ ବାଣିଜ୍ୟ ଓ ଉଦ୍ୟୋଗ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ କେନିଆ ସରକାରଙ୍କ ଉଦ୍ୟୋଗ ବ୍ୟାପାର ତଥା ସହକାରୀ ମନ୍ତ୍ରୀ ଶ୍ରୀ ପିଟର ମୁନ୍ନ୍ୟା ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।

ବୈଠକ ସମୟରେ ଆଲୋଚନାରେ କେନିଆର ବିଗ ଫୋର ଏଜେଣ୍ଡାର କାର୍ୟ୍ୟାନ୍ୱୟନରେ ଭାରତର ଯୋଗଦାନ ଉପରେ ପ୍ରମୁଖତାର ସହ ଚର୍ଚ୍ଚା କରାଯାଇଥିଲା । ଏହି ଏଜେଣ୍ଡାରେ ଖାଦ୍ୟ ସୁରକ୍ଷା, ସୁଲଭ ଗୃହ, ସାର୍ବଭୌମିକ ସ୍ୱାସ୍ଥ୍ୟସେବା ଓ ବିନିର୍ମାଣ, ଦ୍ୱିପାକ୍ଷିକ ବ୍ୟବସାୟର ବିସ୍ତାର ଏବଂ ଏଥିରେ ବିବିଧତା, ଅନ୍ତଃରାଷ୍ଟ୍ରୀୟ ସୌର ଗଠବନ୍ଧନରେ ସାମିଲ ହେବାରେ କେନିଆର ତତ୍ପରତା, ବିଦ୍ୟୁତ ସଂଚରଣରେ ଭାରତ ସରକାରଙ୍କ ଦ୍ୱାରା ବିସ୍ତାରିତ ୨୨୦ ମିଲିଅନ ଆମେରିକୀୟ ଡଲାରରୁ ଅଧିକ କ୍ରେଡିଟ ଲାଇନର କାର୍ୟ୍ୟାନ୍ୱୟନ, ଲଘୁ, ମଧ୍ୟମ ଏବଂ ସୁକ୍ଷ୍ମ ଉଦ୍ୟୋଗର ବିକାଶ, ରିଭାଟେକ୍ସ କାରଖାନାର ପୁନରୁଦ୍ଧାର ଏବଂ କୃଷି ଯାନ୍ତ୍ରୀକରଣ, ଉଚ୍ଚସ୍ତରୀୟ ବିଚାର ବିମର୍ଶ ସମୟରେ କରାଯାଇଥିବା ନିର୍ଣ୍ଣୟର କାର୍ୟ୍ୟାନ୍ୱୟନ, ସ୍ୱାସ୍ଥ୍ୟ କ୍ଷେତ୍ର, ନୀଳ ଅର୍ଥବ୍ୟବସ୍ଥା ଏବଂ କୃଷି ପ୍ରକ୍ରିୟାକରଣ କ୍ଷେତ୍ରରେ ସହଯୋଗ, ଡବ୍ଲୁଟିଓ ସହିତ ସମ୍ବନ୍ଧିତ ବିଷୟ ଏବଂ ଭାରତ ଦ୍ୱାରା ପ୍ରଦାନ କରାଯାଉଥିବା ପ୍ରଶିକ୍ଷଣ ଏବଂ କ୍ଷମତା ନିର୍ମାଣ କାର୍ୟ୍ୟକ୍ରମ ସାମିଲ ରହିଥିଲା ।

ଶ୍ରୀ ପ୍ରଭୁ ଏହି ଅବସରରେ ନିଜର ସମ୍ବୋଧନରେ କେନିଆର ଆବଶ୍ୟକତାକୁ ଧ୍ୟାନରେ ରଖି ସେଠାକୁ ରପ୍ତାନୀ କରାଯାଉଥିବା ଉତ୍ପାଦମାନଙ୍କ ପାଇଁ ଅଧିକ ଅନୁସନ୍ଧାନ ଏବଂ ବିକାଶ କାର୍ୟ୍ୟ ଉପରେ ଜୋର ଦେଇଛନ୍ତି । ସେ ଭାରତୀୟ ବ୍ୟବସାୟୀମାନଙ୍କୁ ଅପିଲ କରିଛନ୍ତି କି ସେମାନେ କେନିଆ ସହିତ ଦ୍ୱିପାକ୍ଷିକ ବ୍ୟବସାୟ ସହଯୋଗର ପ୍ରାଥମିକ କ୍ଷେତ୍ରର ଚିହ୍ନଟ କରିବା ପାଇଁ ବଜାର ସଂରକ୍ଷଣ କରନ୍ତୁ । ଶ୍ରୀ ପ୍ରଭୁ ଏହି ଅବସରରେ କେନିଆରେ ରହୁଥିବା ଭାରତୀୟ ସମୁଦାୟଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ଭାରତୀୟ ସରକାରଙ୍କ ଉପଲବ୍ଧି ଏବଂ ଏହାଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ବିକାଶ ଗତିବିଧି ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ ।

ନାଇରୋବି ପ୍ରବାସ ସମୟରେ ଶ୍ରୀ ପ୍ରଭୁ କେନିଆର ରାଷ୍ଟ୍ରପତି ଉହୁର କେନ୍ୟାଟା ତଥା ଉପରାଷ୍ଟ୍ରପତି ୱିଲିଅମ ଋଟୋଙ୍କୁ ଭେଟିଥିଲେ । ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟର ଅନେକ ବରିଷ୍ଠ ଅଧିକାରୀ ତଥା ବ୍ୟବସାୟୀଙ୍କ ପ୍ରତିନିଧି ଦଳ ମଧ୍ୟ ଶ୍ରୀ ପ୍ରଭୁଙ୍କ ସହ ନାଇରୋବି ଗସ୍ତ କରିଥିଲେ ।

ହିନ୍ଦ ମହାସାଗର କ୍ଷେତ୍ରରେ ପଡୋଶୀ ଦେଶ ହେବା କାରଣରୁ ଭାରତ ଓ କେନିଆ ମଧ୍ୟରେ ଦୀର୍ଘ ଦିନ ଧରି ବ୍ୟବସାୟିକ ସମ୍ପର୍କ ରହିଛି । ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ନିକଟତମ ସମ୍ପର୍କ ରହିଛି । ଭାରତ କେନିଆର ସବୁଠାରୁ ବଡ ବ୍ୟବସାୟିକ ଅଂଶୀଦାର ହେବା ସହିତ କେନିଆରେ ବୈଦେଶିକ ନିବେଶ ମାମଲାରେ ସବୁଠାରୁ ବଡ ଦେଶ । ଭାରତ-କେନିଆ ସଂଯୁକ୍ତ ବ୍ୟବସାୟିକ ସମିତିର ଗତ ବୈଠକ ୨୦୧୫ ଫେବୃଆରୀରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିଲା ।

Leave A Reply