ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ହିମାଚଳ ପ୍ରଦେଶର ଲାହୋଲ ସ୍ପିତି ଅଂଚଳରେ ଏକ ସାହସିକ ଅପରେସନ କରି ବରଫ ଝଡ଼ ମଧ୍ୟରେ ଫସିରହିଥିବା ଦୁଇଜଣ ଜର୍ମାନ ନାଗରିକଙ୍କୁ ଉଦ୍ଧାର କରିଛି । ଏହି ଦୁଇଜଣ ଜର୍ମାନ ନାଗରିକ ହେଉଛନ୍ତି ମାଇକେଲ ଓ ତାଙ୍କ ପତ୍ନୀ ଆନେଟ୍ । ସେମାନେ ଲାହୋଲ-ସ୍ପୀତି ଅଞ୍ଚଳର ପିଙ୍ଗଡଂ ଲା ଅଞ୍ଚଳରେ ଥିବା ରିଂଡମ ରୁ ଡିବଲିଂ ପର୍ୟ୍ୟନ୍ତ ଟ୍ରେକିଂ କରୁଥିବାବେଳେ ବରଫ ଝଡ଼ ମଧ୍ୟରେ ଫସିଯାଇଥିଲେ । ପ୍ରାୟ ଦୁଇଦିନ ଧରି ସେମାନେ ବରଫ ମଧ୍ୟରେ ଫସି ରହିଥିଲେ । ଏହି ସମୟରେ ତାଙ୍କ ପାଖରେ ଥିବା ଖାଦ୍ୟସାମଗ୍ରୀ ସମାପ୍ତ ହୋଇଯାଇଥିଲା । ସବୁ ଆଶା ଶେଷ ହୋଇଆସୁଥିବାବେଳେ ମାଇକେଲ ନିଜର ଶେଷ ଉଦ୍ୟମ ସ୍ୱରୂପ ରେସକ୍ୟୁ ବିକନକୁ ଆକ୍ଟିଭେଟ କରି ସହାୟତା ପାଇଁ ସଂକେତ ଦେଲେ । ରେଡିଓ ବିକନ ଏକ ପ୍ରକାରର ଟ୍ରାକିଂ ଟ୍ରାନ୍ସମିଟର, ଯାହାକି ଜରୁରୀକାଳିନ ସମୟରେ ସାଟେଲାଇଟକୁ ସଂକେତ ଦିଏ । ଏହି ସଂକେତକୁ ଆଞ୍ଚଳିକ ସମନ୍ଵୟ କେନ୍ଦ୍ର ପକ୍ଷରୁ ଧରାଯିବା ପରେ ତାହାକୁ ଭାରତୀୟ ବାୟୁସେନାର ପଶ୍ଚିମ କମାଣ୍ଡକୁ ପ୍ରେରଣ କରାଗଲା । ଲେହରେ ଥିବା ସିଆଚେନ ପାଇଲଟ ୟୁନିଟ ଏହାକୁ ଧରିବା ପରେ ଦୁଇଜଣ ପାଇଲଟଙ୍କୁ ସନ୍ଧାନ ପାଇଁ ପଠାଗଲା । ତେବେ ରାତି ହୋଇଯାଇଥିବାରୁ ଓ ପ୍ରତିକୂଳ ପାଗ ଥିବାରୁ ହେଲିକାପ୍ଟର ଚଳାଇବା ସମ୍ଭବ ନଥିଲା । ତେବେ ତା ପରଦିନ ଭୋରରୁ ଓ୍ଵିଙ୍ଗ କମାଣ୍ଡର ଦେ ଓ ଓ୍ଵିଙ୍ଗ କମାଣ୍ଡର ପ୍ରଧାନ ସନ୍ଧାନ କାର୍ୟ୍ୟ ଆରମ୍ଭ କଲେ । ବରଫ ପାହାଡ ମଧ୍ୟରେ ଉଭୟଙ୍କୁ ଖୋଜିବା ସେତେଟା ସହଜ ନଥିଲା । ବହୁ ଉଦ୍ୟମ ପରେ ମଣିଷ ପାଦଚିହ୍ନ ଖୋଜି ସେମାନଙ୍କୁ ଠାବ କରିବାରେ ସକ୍ଷମ ହେଲେ ଉଭୟ ଓ୍ଵିଙ୍ଗ କମାଣ୍ଡର । ଉଦ୍ଧାର ପରେ ସେମାନଙ୍କୁ ଲେହରେ ଥିବା ଏକ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।