ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା ପରବର୍ତ୍ତି ଅବଧିରେ ବନ୍ୟଜନ୍ତୁ ପ୍ରାକୃତିକ ଆବାସର ସମନ୍ୱିତ ବିକାଶ ଲାଗି କେନ୍ଦ୍ର ପ୍ରାୟୋଜିତ ସାମଗ୍ରିକ (ଅମ୍ବ୍ରେଲା) ଯୋଜନା ଜାରି ରଖିବାକୁ କ୍ୟାବିନେଟ ଅନୁମୋଦନ

0 574

୨୦୧୭-୧୮ ଠାରୁ ୨୦୧୯-୨୦ ପର୍ୟ୍ୟନ୍ତ ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା ପରବର୍ତ୍ତି ଅବଧିରେ ବନ୍ୟଜନ୍ତୁ ପ୍ରାକୃତିକ ଆବାସସ୍ଥଳୀ (ସିଏସଏସ-ଆଇଡିଡବ୍ଲ୍ୟୁଏଚ)ଗୁଡ଼ିକର ସମନ୍ୱିତ ବିକାଶ ଲାଗି କେନ୍ଦ୍ର ପ୍ରାୟୋଜିତ ସାମଗ୍ରିକ ଯୋଜନା (ଅମ୍ବ୍ରେଲା ସ୍କିମ) ଜାରି ରଖିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି । ଏଥିରେ କେନ୍ଦ୍ର ପ୍ରାୟୋଜିତ ପ୍ରୋଜେକ୍ଟ ଟାଇଗର ଯୋଜନା (ସିଏସଏସ-ପିଟି), ବନ୍ୟଜନ୍ତୁ ପ୍ରାକୃତିକ ଅବାସ ଯୋଜନା (ସିଏସଏସ-ଡିଡବ୍ଲ୍ୟୁଏଚ) ଏବଂ ହସ୍ତୀ ପ୍ରକଳ୍ପ ଯୋଜନା ସାମିଲ ରହିଛି । କେନ୍ଦ୍ରୀୟ ଅଂଶ ବାବଦରେ ୨୦୧୭-୧୮ ଠାରୁ ୨୦୧୯-୨୦ ସୁଦ୍ଧା ମୋଟ ବ୍ୟୟ ୧୭୩୧.୭୨ କୋଟି ଟଙ୍କା (ବ୍ୟାଘ୍ର ପ୍ରକଳ୍ପ ପାଇଁ ୧୧୪୩ କୋଟି ଟଙ୍କା, ବନ୍ୟଜନ୍ତୁ ପ୍ରାକୃତିକ ଆବାସସ୍ଥଳୀର ବିକାଶ ଲାଗି ୪୯୬.୫୦ କୋଟି ଟଙ୍କା ଏବଂ ହସ୍ତୀ ପ୍ରକଳ୍ପ ଲାଗି ୯୨.୨୨ କୋଟି ଟଙ୍କା) ରହିଛି ।

ଦେଶର ପାଞ୍ଚଟି ଭୂଖଣ୍ଡରେ ପରିବ୍ୟାପ୍ତ ବାଘ ଥିବା ମୋଟ ୧୮ଟି ରାଜ୍ୟ ବ୍ୟାଘ୍ର ପ୍ରକଳ୍ପ ଯୋଜନା ଅନ୍ତର୍ଗତ ଲାଭାନ୍ୱିତ ହେବେ । ସେହିପରି ଅନ୍ୟ ଦୁଇଟି ଯୋଜନା ଲାଗି ବନ୍ୟଜନ୍ତୁ ପ୍ରାକୃତିକ ଆବାସ ଏବଂ ହାତୀ ଥିବା ୨୩ଟି ରାଜ୍ୟର ବିକାଶ ବ୍ୟାପାରରେ ସାରା ଦେଶକୁ ସାମିଲ କରାଯିବ । ଏହାଦ୍ୱାରା ବନ୍ୟଜନ୍ତୁ ସଂରକ୍ଷଣ ବ୍ୟତୀତ ବ୍ୟାଘ୍ର ପ୍ରକଳ୍ପରେ ବାଘ ଏବଂ ହାତୀ ପ୍ରକଳ୍ପରେ କ୍ଷେତ୍ରରେ ହାତୀଙ୍କ ସୁରକ୍ଷା ପାଇଁ ବିଶେଷ ସହଯୋଗ ମିଳିପାରିବ ।

ଏହାଦ୍ୱାରା ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଲାଭ ଏବଂ ବ୍ୟାଘ୍ର ପ୍ରକଳ୍ପ ଅନ୍ତର୍ଗତ ବାଘ ସଂରକ୍ଷିତ କ୍ଷେତ୍ର ମଧ୍ୟରେ ଏବଂ ଏହାର ଆଖାପାଖରେ ବ୍ୟାପକ ଆକାରରେ ବ୍ୟାଘ୍ର ସଂରକ୍ଷଣ ସହଯୋଗ, ବନ୍ୟଜନ୍ତୁ ପ୍ରାକୃତିକ ଆବାସସ୍ଥଳୀର ବିକାଶ ଏବଂ ହାତୀ ପ୍ରକଳ୍ପ କ୍ଷେତ୍ରରେ ହାତୀଙ୍କ ସଂରକ୍ଷଣ ଏବଂ ଆଖାପାଖ ଅଂଚଳରେ ଅନ୍ୟ ବନ୍ୟଜନ୍ତୁମାନଙ୍କ ସଂରକ୍ଷଣକୁ ପ୍ରଭାବୀ ଢଙ୍ଗରେ କାର୍ୟ୍ୟାନ୍ୱୟନ କରାଯାଇପାରିବ । ଏହି ଯୋଜନା ଦେଶରେ ବାଘ, ହାତୀ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ପ୍ରୟାସକୁ ସୁଦୃଢ଼ କରିବ ।

ଏହି ଯୋଜନା ଫଳପ୍ରଦ ଭାବେ ମନୁଷ୍ୟ ବନ୍ୟଜନ୍ତୁଙ୍କ ମଧ୍ୟରେ ହେଉଥିବା ସଂଘର୍ଷକୁ ଦୂର କରିବ । ଏହାବ୍ୟତୀତ ଯେଉଁ ଗୋଷ୍ଠୀ/ସମୁଦାୟ ସ୍ୱେଚ୍ଛାକୃତ ଭାବେ ପ୍ରମୁଖ/ଗୁରୁତ୍ୱପୂର୍ଣ୍ଣ ବ୍ୟାଘ୍ର ପ୍ରାକୃତିକ ଆବାସସ୍ଥଳୀ (୬୯୦୦ ପରିବାର) ଠାରୁ ସ୍ଥାନାନ୍ତରିତ ହୋଇ ଅନ୍ୟ କୌଣସି ସ୍ଥାନରେ ରହିବାକୁ ଚାହିଁବେ ସେମାନଙ୍କୁ ପ୍ରୋଜେକ୍ଟ ଟାଇଗରର କେନ୍ଦ୍ର ପ୍ରାୟୋଜିତ ଯୋଜନା ଅଧୀନରେ ଏବଂ ୮୦୦ ପରିବାରକୁ ବନ୍ୟଜନ୍ତୁ ପ୍ରାକୃତିକ ଆବାସସ୍ଥଳୀ ବିକାଶ ପାଇଁ କେନ୍ଦ୍ର ପ୍ରାୟୋଜିତ ଯୋଜନାରୁ ଲାଭ ମିଳିପାରିବ ।

ଏସବୁ ଯୋଜନା ନିଯୁକ୍ତ ସୁଯୋଗ ସୃଷ୍ଟି କରିବ । ଯାହାର ଫଳସ୍ୱରୂପ ବ୍ୟାଘ୍ର ସଂରକ୍ଷିତ କ୍ଷେତ୍ର ମଧ୍ୟରେ ଏବଂ ଏହାର ଆଖପାଖର ଲୋକମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ସମ୍ଭବପର ହୋଇପାରିବ । ଏଥିସହିତ ପ୍ରାକୃତିକ ସମ୍ବଳର ଉପରେ ନିର୍ଭରଶୀଳତାକୁ କମ କରି ସ୍ୱଚ୍ଛ ଶକ୍ତିର ବ୍ୟବହାର କରାଯାଇପାରିବ । ଏହାଦ୍ୱାରା ପ୍ରତ୍ୟେକବର୍ଷ ପାଖାପାଖି ୩୦ ଲକ୍ଷ କାର୍ୟ୍ୟ ଦିବସର ସିଧାସଳଖ ନିଯୁକ୍ତି ସୃଷ୍ଟି ହୋଇପାରିବ । ଏଥିରେ ଅନେକ ସ୍ଥାନୀୟ ଜନଜାତିଙ୍କ ବ୍ୟତୀତ ଅଣଜନଜାତିର ସ୍ଥାନୀୟ ଶ୍ରମ ଶକ୍ତି ସାମିଲ ହୋଇପାରିବେ । ଏହାର ପରିଧିରେ ରହୁଥିବା ଲୋକମାନଙ୍କୁ ପରୋକ୍ଷ ଲାଭ ମଧ୍ୟ ମିଳିବ । ସ୍ଥାନୀୟ ଜନସଂଖ୍ୟାକୁ ଗାଇଡ, ଡ୍ରାଇଭର, ଅତିଥି ସତ୍କାର କର୍ମୀ ଏବଂ ଅନ୍ୟ ସହାୟକ ଚାକିରୀର ସୁଯୋଗ ମିଳିବ । ଏହି ଯୋଜନା ବିଭିନ୍ନ ପରିବେଶ ବିକାଶର ପ୍ରକଳ୍ପ ଜରିଆରେ ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ବିଭିନ୍ନ ପ୍ରତିଭାକୁ ପ୍ରୋତ୍ସାହନ ଦେବ, ଯାହାଦ୍ୱାରା ସେମାନେ ସ୍ୱରୋଜଗାରକୁ ଆପଣାଇପାରିବେ ।

ଏହି ଯୋଜନାଗୁଡ଼ିକ ଦ୍ୱାରା ପର୍ୟ୍ୟଟକମାନଙ୍କ ଜରିଆରେ ସମ୍ବଳ ସୃଷ୍ଟି ହେବ ଯାହାଦ୍ୱାରା ବାଘପ୍ରଜନନ ବହୁଳ କ୍ଷେତ୍ର ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅନ୍ୟ କ୍ଷେତ୍ରଗୁଡିକୁ ସୁରକ୍ଷିତ କରିବାରେ ପ୍ରୋତ୍ସାହନ ମିଳିବ । ଏହା ମଧ୍ୟ ଜୀବନରକ୍ଷାକାରୀ ପ୍ରଣାଳୀକୁ ବଜାୟ ରଖିବା ସହିତ ଖାଦ୍ୟ, ଜଳ ଏବଂ ଜୀବିକା ସୁରକ୍ଷା ପ୍ରଦାନ କରିବାରେ ସହାୟକ ହୋଇପାରିବ ।

ଯୋଜନାଗୁଡିକର କାର୍ୟ୍ୟାନ୍ୱୟନ ସମ୍ପୃକ୍ତ ରାଜ୍ୟଗୁଡ଼ିକର ବ୍ୟାଘ୍ର ସଂରକ୍ଷିତ କ୍ଷେତ୍ର, ସଂରକ୍ଷିତ ଅଂଚଳ ଏବଂ ହାତୀ ସଂରକ୍ଷିତ କ୍ଷେତ୍ର ଜରିଆରେ କରାଯିବ ।

Leave A Reply