ଦ୍ରୌପଦୀ ମୁର୍ମୁ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ରାଷ୍ଟ୍ରପତି ନିର୍ବାଚନର ରିଟର୍ଣ୍ଣିଂ ଅଧିକାରୀ ଓ ରାଜ୍ୟସଭା ମହାସଚିବ ପି.ସି. ମୋଡ଼ି ଭୋଟ ଗଣତି ପରେ ସେ ନିର୍ବାଚିତ ହୋଇଥିବା କଥା ଗତକାଲି ସନ୍ଧ୍ୟାରେ ଘୋଷଣା କରିଥିଲେ । ଶ୍ରୀମତୀ ମୁର୍ମୁ ଶତକଡ଼ା ୬୪ ଭାଗ ଭୋଟ ପାଇଥିବା ବେଳେ ବିରୋଧୀ ପକ୍ଷର ପ୍ରାର୍ଥୀ ଯଶୱନ୍ତ ସିହ୍ନା ଶତକଡ଼ା ୩୬ ଭାଗ ଭୋଟ ପାଇଛନ୍ତି । ଶ୍ରୀ ମୋଡ଼ି କହିଛନ୍ତି, ମୋଟ୍ ୪ହଜାର ୭୫୪ଟି ବୈଧ ଭୋଟରୁ ଶ୍ରୀମତୀ ମୁର୍ମୁଙ୍କୁ ୫୪୦ ଜଣ ସାଂସଦଙ୍କ ସମେତ ୨ହଜାର ୮୨୪ ଜଣ ସଦସ୍ୟ ଭୋଟ ଦେଇଛନ୍ତି । ତାଙ୍କ ଭୋଟ ମୂଲ୍ୟ ହେଲା ୬ଲକ୍ଷ ଛଅସ୍ତରୀ ହଜାର ୮୦୩ ଥିବାବେଳେ ଶ୍ରୀ ସିହ୍ନାଙ୍କୁ ୨୦୮ ଜଣ ସାଂସଦଙ୍କ ସମେତ ୧ହଜାର ୮୭୭ ଜଣ ସଦସ୍ୟ ଭୋଟ ଦେଇଛନ୍ତି ଏବଂ ତାଙ୍କର ଭୋଟ ମୂଲ୍ୟ ହେଲା ୩ଲକ୍ଷ
୮୦ହଜାର ୧୭୭ । ଏହାପରେ ଶ୍ରୀ ମୋଡ଼ି ଶ୍ରୀମତୀ ମୁର୍ମୁଙ୍କ ବାସଭବନକୁ ଯାଇ ତାଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜଗତପ୍ରସାଦ ନଡ୍ଡା, ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ସାଂସଦ ଶ୍ରୀମତୀ ମୁର୍ମୁଙ୍କ ବାସଭବନ ଯାଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୁର୍ମୁ ହେଉଛନ୍ତି ଦେଶର ପ୍ରଥମ ଜନଜାତି ମହିଳା ଏବଂ ରାଷ୍ଟ୍ରପତି
ଭାବେ ଦେଶର ଦ୍ୱିତୀୟ ମହିଳା । ଭାରତର ପ୍ରଧାନ ବିଚାରପତି ଏନ୍.ଭି. ରମଣ ସଂସଦୀର କେନ୍ଦ୍ରୀୟ ସଭାଗାରରେ ଆସନ୍ତା ସୋମବାର ଦିନ ତାଙ୍କୁ
ପଦ ଓ ଗୋପନୀୟତାର ଶପଥପାଠ କରାଇବେ ।
Comments are closed, but trackbacks and pingbacks are open.