ଫାଲଗୁନ ଶୁକ୍ଲ ଦଶମୀଠାରୁ ଶ୍ରୀମନ୍ଦିରରେ ପବିତ୍ର ଦୋଳଯାତ୍ରା ପାଳନ ଆରମ୍ଭ ହୋଇଛି । ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ଏହି ଅବସରରେ
ଶ୍ରୀଜଗନ୍ନାଥଙ୍କ ଚଳନ୍ତୀ ପ୍ରତିମା ଜଗନ୍ନାଥବଲ୍ଳଭ ମଠକୁ ବିଜେ କରି ସେଠାରେ କେତେକ ନୀତି ସମ୍ପନ୍ନ ହେବା ସହିତ ଶ୍ରୀଜୀଉଙ୍କୁ ଚାଚେରି ବେଶ
କରାଯାଉଛି । ଚତୁର୍ଦ୍ଦଶୀ ଦିନ ଲକ୍ଷ୍ମୀନାରାୟଣଙ୍କ ହୋରି ଫଗୁ ଖେଳ ହେବ ଓ ଶ୍ରୀଜୀଉଙ୍କ ଚଳନ୍ତୀ ପ୍ରତିମା ବିମାନରେ ବିଜେ ହୋଇ ଦୋଳବେଦୀ ଠାରେ
ଥିବା ଅଗ୍ନି ଉତ୍ସବ ଘରକୁ ବିଜେ କରିବେ ଓ ସେଠାରେ କେତେକ ନୀତି ସମ୍ପନ୍ନ ହେବ । ଦୋଳ ପୂର୍ଣ୍ଣମୀରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ପାରମ୍ପରିକ
ରୀତିମତେ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଇବେ ।
ଶ୍ରଦ୍ଧାଳୁମାନେ ଜଗମୋହନର ବାହାର କାଠ ପାଖରେ ଠିଆ ହୋଇ ଏହି ଦୂର୍ଲ୍ଲଭ ବେଶ ଦର୍ଶନ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ
ନିଆଯାଇଛି । ଦର୍ଶନାର୍ଥୀମାନଙ୍କର ସୁରକ୍ଷା ତଥା ନିରାପତ୍ତା ଲାଗି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି । ଏହାଛଡା ପୁରୀଜିଲ୍ଲାର
ପୁରପଲ୍ଲୀମାନଙ୍କରେ ମଧ୍ୟ ଦୋଳ ଉତ୍ସବ ବେଶ୍ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ପାଳିତ ହେଉଛି ।