ରାଜ୍ୟରେ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଅନ୍ୟ ଏକ ମାଇଲ୍ ଖୁଣ୍ଟ ଭାବେ ଗଢ଼ିଉଠୁଥିବା ବାଗଚୀ-ଶଙ୍କର କ୍ୟାନ୍ସର୍ ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ରର
ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଓଡ଼ିଶା କୌଶଳ ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ତଥା ହସ୍ପିଟାଲ ଓ କରୁଣାଶ୍ରୟର
ପ୍ରମୁଖ କର୍ଣ୍ଣଧାର ଡକ୍ଟର ସୁବ୍ରତୋ ବାଗଚୀ ସମୀକ୍ଷା କରିଛନ୍ତି । ଏହି ହସ୍ପିଟାଲ୍ ପାଇଁ ରାଜ୍ୟସରକାର ଇନଫୋଭ୍ୟାଲି-୨ରେ ଯୋଗାଇ ଦେଇଥିବା ୨୦
ଏକର ପରିମିତ ଅଂଚଳ ପରିଦର୍ଶନ କରି ଶ୍ରୀ ମହାପାତ୍ର କହିଛନ୍ତି, ହସ୍ପିଟାଲ୍ ନିର୍ମାଣ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ଦେଖିବାକୁ ମିଳିଛି ।
ପୂର୍ବରୁ ହସ୍ପିଟାଲ୍କୁ ୫୦୦ ଶଯ୍ୟାବିଶିଷ୍ଟ କରିବା ପାଇଁ ଯୋଜନା ରହିଥିବାବେଳେ ବର୍ତମାନ ଏହି ହସ୍ପିଟାଲକୁ ୭୫୦ ଶଯ୍ୟା ବିଶିଷ୍ଟ କରିବା
ପାଇଁ ନିର୍ମାଣ କାମ ଆରମ୍ଭ ହୋଇଛି । ଏହି ହସ୍ପିଟାଲ୍ ରେ ରୋଗୀ ଏବଂ ତାଙ୍କର ସହାୟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବ । ହସ୍ପିଟାଲ୍
ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ସବୁଜ ବଳୟ ସୃଷ୍ଟି ସହ ପରିସର ଭିତରେ ଥିବା ଖାଲୁଆ ଯାଗାକୁ ଏକ ସୁନ୍ଦର ପୁଷ୍କରିଣୀ ଭାବେ ବିକଶିତ କରିବା
ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।
ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକ ଉପକରଣ, ଆଇନ ଶୃଙ୍ଖଳା ସ୍ଥିତି, ମାନବ ସମ୍ବଳ, ଯନ୍ତ୍ରପାତି ଆଦିର ଉପଲବ୍ଧି ବିଷୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମୀକ୍ଷା କରିଥିଲେ । ୨୦୨୩ ମସିହା ରଥଯାତ୍ରା ସୁଦ୍ଧା ହସ୍ପିଟାଲର ପ୍ରଥମ ପର୍ଯ୍ୟାୟ ନିର୍ମାଣ ଶେଷ କରି ରୋଗୀସେବା ଆରମ୍ଭ କରିବା
ପାଇଁ ସମୀକ୍ଷା ସମୟରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।
ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏବଂ ଡକ୍ଟର ବାଗଚୀ ଇନଫୋଭ୍ୟାଲି-୨ରେ ବାଗଚୀ କରୁଣାଶ୍ରୟ ଉପଶମ ଚିକିତ୍ସା କେନ୍ଦ୍ର ପରିସର
ଯାଇ ସେଠାରେ ମଧ୍ୟ ନିର୍ମାଣ ଓ ସେବା ଯୋଗାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ପ୍ରାୟ ୨୧୦ କୋଟି ଟଙ୍କା ଆକଳନରେ ଆରମ୍ଭ ହୋଇଥିବା
ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ୨୦୨୩ ଜୁଲାଇ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହାକୁ ୧୫୦ ଶଯ୍ୟା ବିଶିଷ୍ଟ ଉପଶମ ଚିକିତ୍ସା କେନ୍ଦ୍ର
ଭାବେ ବିକଶିତ କରାଯିବ ।