ବାତ୍ୟା ‘ଫନି’ର ୧୨ ଦିନ ପରେ ବି ଅନ୍ଧାରରେ ବିତୁଛି ଜୀବନ
ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ହୋଇଥିବା ସାମୁଦ୍ରିକ ଝଡ଼ ‘ଫନି’ ୧୨ ଦିନ ବିତିଯାଇଛି । ବାତ୍ୟା ଯୋଗୁଁ ବିଦ୍ୟୁତ ଭିତ୍ତିଭୂମି ସଂପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଥିବା ବେଳେ ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ସ୍ଥାନରେ ଏହାର ମରାମତି କରାଯାଇଛି । ଫଳରେ ଭୁବନେଶ୍ୱରର ଅଧିକାଂଶ ଲୋକଙ୍କୁ ବିଦ୍ୟୁତ ସଂଯୋଗ ମିଳିଥିବା ବେଳେ ଆହୁରି ହଜାର ହଜାର ଲୋକ ୪୧ ଡିଗ୍ରୀ ତାପମାତ୍ରାରେ ଛଟପଟ ହେଉଛନ୍ତି ।
ବାତ୍ୟା ପ୍ରଭାବିତ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଜିଲ୍ଲାର ଶହ ଶହ ଗାଁରେ ବିଦ୍ୟୁତ ମରାମତି କାମ ସଂପୂର୍ଣ୍ଣ ହୋଇ ପାରି ନାହିଁ । ଫନି ଯୋଗୁଁ ୬୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗତ ୩ ତାରିଖ ଆସିଥିବା ଫନି ପରେ ଆମେ ପୁରୀ ଜିଲ୍ଲାକୁ ଛାଡି ଅନ୍ୟ ସ୍ଥାନରେ ବିଦ୍ୟୁତ ଯୋଗାଇ ପାରିଛୁ ବୋଲି ସୂଚନା ଓ ଲୋକସଂପର୍କ ଅଧିକାରୀ ସଂଜୟ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।