ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ “ବୁଲ୍ବୁଲ୍” ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି। ଏହା ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତିକରୁଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମହାପାତ୍ର କହିଛନ୍ତି, ବର୍ତ୍ତମାନ ଏହା ପାରାଦ୍ୱୀପଠାରୁ
୭୭୦ କିଲୋମିଟର ଦୂରରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ରୂପ ନେବ। ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଉଛି। ଏହାର ପ୍ରଭାବରେ ଆଜି ବାଲେଶ୍ୱର,
ଭଦ୍ରକ, ମୟୂରଭଞ୍ଜ, କନ୍ଧମାଳ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ
ପୂର୍ବାନୁମାନ କରିଛି। ଏହି ସମୟ ମଧ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ଆସନ୍ତାକାଲି ସୁଦ୍ଧା ଏହାର ବେଗ ବଢ଼ିପାରେ ବୋଲି କୁହାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।