ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ୍‍ ମ୍ୟାଚ୍‍ ପାଇଁ ଆସନ୍ତାକାଲି
ଏବଂ ଶୁକ୍ରବାର ଦିନ କାଉଣ୍ଟରରେ ଟିକଟ ବିକ୍ରି

90

କଟକ ବାରବାଟୀ ଷ୍ଟାଡିୟମରେ ୧୨ ତାରିଖ ରବିବାର ଅନୁଷ୍ଠିତ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ୍‍ ମ୍ୟାଚ୍‍ ପାଇଁ ଆସନ୍ତାକାଲି ଏବଂ ଶୁକ୍ରବାର ଦିନ କାଉଣ୍ଟରରେ ଟିକଟ ବିକ୍ରି କରାଯିବ । ଓସିଏ ସମ୍ପାଦକ ସଂଜୟ ବେହେରା ଏ ସଂପର୍କରେ ସୂଚନା ଦେଇ କହିଛନ୍ତି କାଉଣ୍ଟରରେ ୧୨ ହଜାର ଟିକଟ ବିକ୍ରି କରାଯିବ । ଇତିମଧ୍ୟରେ କର୍ପୋରେଟ୍‍ ବକ୍ସ ୨ ଏବଂ ୪ ନମ୍ବର ଗ୍ୟାଲେରୀର ଶୀତତାପ ନିୟନ୍ତ୍ରିତ ବକ୍ସର କିଛି ଟିକଟ କର୍ପୋରେଟ ସଂସ୍ଥାଗୁଡ଼ିକୁ ବିକ୍ରି ହୋଇସାରିଛି । ସେହିଭଳି ଓସିଏ ସହ ଅନୁବନ୍ଧିତ ୟୁନିଟ୍‍ ଗୁଡ଼ିକ ପାଇଁ ଗତକାଲି ଏବଂ ଆଜି ଟିକଟ ବିକ୍ରି କରାଯାଉଛି । ସୂଚନାଯୋଗ୍ୟ ୩୨ଟି କ୍ରିକେଟ ଜିଲ୍ଲା, ୨୬ଟି କ୍ଲବ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ମିଶାଇ ମୋଟ୍‍ ୭୦ଟି ୟୁନିଟ୍‍ ଅନୁବନ୍ଧିତ ଅଛନ୍ତି ।

ଥୋମାସ୍‍ କପ୍‍ ବିଜେତା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବର୍ଦ୍ଧିତ କରିବେ । ଏଥିପାଇଁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ ଏକ ସମାରୋହର ଆୟୋଜନ କରାଯାଇଛି । ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ପୁଲେଲା ଗୋପୀଚାନ୍ଦଙ୍କ ସମେତ ଭାରତୀୟ ଦଳକୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବ । କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତୀ ବେହେରା, ଓଡ଼ିଶା ବ୍ୟାଡମିଣ୍ଟନ ସଂଘର ସଭାପତି ତଥା ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ, ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଏହି ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି ।

Comments are closed, but trackbacks and pingbacks are open.