ସାରସ୍ୱତ ସାଧିକା ବୀଣାପାଣି ମହାନ୍ତିଙ୍କର ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

91

ସାରସ୍ୱତ ସାଧିକା ବୀଣାପାଣି ମହାନ୍ତିଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ଗତକାଲି ରାତି ୯ଟା ୨୦ ମିନିଟ୍‍ରେ କଟକ ବାଦାମବାଡ଼ି ସ୍ଥିତ ବାସଭବନରେ ହୃଦ୍‍ଘାତରେ ପରଲୋକ ଘଟିଥିବା ସୂଚନା ମିଳିଛି । ଓଡ଼ିଆ ଭାଷାସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବୀଣାପାଣି ମହାନ୍ତିଙ୍କୁ ପଦ୍ମଶ୍ରୀ ସମେତ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଅତିବଡ଼ି ଜଗନ୍ନ୍‍ାଥ ଦାସ ସମ୍ମାନ ଏବଂ ସାରଳା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୧୯୩୬ ମସିହା ନଭେମ୍ବର ୧୧ରେ ଜନ୍ମଗ୍ରହଣ କରିଥିବା ବୀଣାପାଣି ୧୯୫୩ରେ ମ୍ୟାଟି ୍ରକ୍‍ ପାସ୍‍ କରିବା ପରେ ୧୯୫୭ରେ ସ୍ନାତକ ଏବଂ ୧୯୫୯ରେ କଟକ ରେଭେନ୍ସା କଲେଜରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ବିଭିନ୍ନ
ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗର ଅଧ୍ୟାପିକା ଭାବେ କାର୍ଯ୍ୟ କରିବା ପରେ ୧୯୯୨ ମସିହାରେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ
ଅବସରଗ୍ରହଣ କରିଥିଲେ ।


୧୯୬୦ ମସିହାରେ ଗୋଟିଏ ରାତିର କାହାଣୀରୁ ବୀଣାପାଣିଙ୍କର ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲା । ତାଙ୍କ ଲିଖିତ ପାଟଦେଈ, ଖେଳଘର, ନଈକୁ ରାସ୍ତା, ବସ୍ତ୍ରହରଣ, କୁସ୍ତରୀମୃଗ ଓ ସବୁଜ ଅରଣ୍ୟ ଏବଂ ମିଛିମିଛିକା ପାଇଁ ସେ ଲେଖକୀୟ ସ୍ୱୀକୃତି ପାଇଥିଲେ । ତାଙ୍କ ଲିଖିତ କ୍ଷୁଦ୍ର କାହାଣୀ ପାଟଦେଈ ୧୯୮୬ ମସିହାରେ ଫେମିନା ପତ୍ରିକାରେ ଲତା ନାମରେ ପ୍ରକାଶିତ ହୋଇଥିଲା ଓ ୧୯୮୭ରେ ଏହାର ହିନ୍ଦୀ ନାଟ୍ୟରୂପାନ୍ତର କସମ୍‍କସ୍‍ ନାମକ ଏକ ଧାରାବାହିକ ଭାବରେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା । ତାଙ୍କ ରଚିତ ଅନେକ କ୍ଷୁଦ୍ରଗଳ୍ପ ଇଂରାଜୀ, ହିନ୍ଦୀ, କନ୍ନଡ, ମାଲାୟଲମ୍‍, ମରାଠୀ, ବଙ୍ଗଳୀ, ଉର୍ଦ୍ଦୁ, ତେଲୁଗୁ ଏବଂ ରୁଷୀୟ ଭାଷାରେ ଅନୁବାଦ କରାଯାଇଛି । ତାଙ୍କ ରଚିତ ଅନ୍ଧକାରର ଛାଇ ଉପରେ ଏକ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା ଏବଂ ତାହା ଦର୍ଶକଙ୍କ ଦ୍ୱାରା ଆଦ୍ରୁତ ହୋଇଥିଲା । ଆଜି ପୂର୍ବାହ୍ନରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କଟକ ଶତୀଚଉରା ସ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏକ ଟ୍ୱିଟ୍‍ରେ କହିଛନ୍ତି, ଓଡ଼ିଆ ସାହିତ୍ୟ ବିଶେଷ କରି ଗଳ୍ପ ଓ ଉପନ୍ୟାସ ରଚନା କ୍ଷେତ୍ରରେ ବୀଣାପାଣି ମହାନ୍ତିଙ୍କ ଅବଦାନ ଅତୁଳନୀୟ । ଅନ୍ୟ ଭାଷାରେ ଅନୁବାଦିତ ତାଙ୍କର ସୃଷ୍ଟି ବେଶ୍‍ ଲୋକପ୍ରିୟତା ହାସଲ କରିଛି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଶୋକ ପ୍ରକାଶ କରି କହିଛନ୍ତି, ଓଡ଼ିଆ ସାହିତ୍ୟକୁ ବୀଣାପାଣି ବହୁ ଭାବରେ ସମୃଦ୍ଧ କରିଛନ୍ତି ଏବଂ ତାଙ୍କ ସୃଷ୍ଟି ମାଧ୍ୟମରେ ସେ ଚିରସ୍ମରଣୀୟ ହୋଇରହିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ସ୍ୱର୍ଗତଃ ମହାନ୍ତି ତାଙ୍କ ଗଳ୍ପ ଓ ଉପନ୍ୟାସରେ ନାରୀ ଜୀବନର ସଂଘର୍ଷକୁ ସଫଳତାର ସହ ଉପସ୍ଥାପନ କରିଛନ୍ତି । ତାଙ୍କ କାଳଜୟୀ ରଚନା ନାରୀ ସଶକ୍ତିକରଣ ପାଇଁ ସବୁବେଳେ ପ୍ରେରଣା
ଯୋଗାଇବ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଉକ୍ରୃଷ୍ଟ ଗଳ୍ପ ଓ ଉପନ୍ୟାସ ପାଇଁ ବୀଣାପାଣି ଭାରତୀୟ ସାହିତ୍ୟ ଆକାଶରେ ଚିରସ୍ମରଣୀୟ ହୋଇ ରହିବେ ବୋଲି କହିଛନ୍ତି । ବୀଣାପାଣି ମହାନ୍ତିଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା ଓ ସାହିତ୍ୟିକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.