ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେଲେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ: ଇମ୍ରାନ ଖାନ

0 868

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ମଙ୍ଗଳବାର କହିଛନ୍ତି, ଯଦି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଲୋକସଭା ନିର୍ବାଚନ ପୁଣିଥରେ ଜିତିିବେ ତା’ହେଲେ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନା ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ । ଗଣମାଧ୍ୟମକୁ ଇମରାନ ଖାନ କହିଛନ୍ତି, ଯଦି ବିରୋଧୀ କଂଗ୍ରେସ ନେତୃତ୍ୱରେ ଭାରତରେ ସରକାର ଗଠନ ହୁଏ ତା’ହେଲେ ଦକ୍ଷିଣପନ୍ଥୀମାନଙ୍କ ଭୟରେ ସେମାନେ କଶ୍ମୀର ପ୍ରସଙ୍ଗରେ କଥାବାର୍ତ୍ତା ହେବା ପାଇଁ ଆଗକୁ ଆସିବେ ନାହିଁ ।

ସାକ୍ଷାତକାରରେ ସେ କହିଛନ୍ତି, ନିର୍ବାଚନରେ ଯଦି ବିଜେପି ଜିତିବ, ତା’ହେଲେ କଶ୍ମୀର ପ୍ରସଙ୍ଗର ସମାଧାନ ହେବାର ସମ୍ଭାବନା ରହିଛି । ସେ କହିଛନ୍ତି, କିଛି ବର୍ଷ ହେବ ଭାରତୀୟ ମୁସଲିମ ଏଠାରେ ନିଜର ସ୍ଥିତିକୁ ନେଇ ବହୁତ ଖୁସି ଥିଲେ କିନ୍ତୁ ଭାରତରେ ବଢୁଥିବା ଉଗ୍ର ହିନ୍ଦୁ ରାଷ୍ଟ୍ରବାଦ କାରଣରୁ ସେମାନେ ବହୁତ ଚିନ୍ତିତ ଅଛନ୍ତି ।

ବେଂଜାମିନ ନେତନ୍ୟାହୁଙ୍କ ସହ ତୁଳନା

ମୋଦୀଙ୍କ ତୁଳନା ଇସ୍ରାଇଲର ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁଙ୍କ ସହିତ ତୁଳନା କରି ଇମ୍ରାନ କହିଛନ୍ତି, ତାଙ୍କର ରାଜନୀତି ଭୟ ଓ ରାଷ୍ଟ୍ରବାଦ ଭାବନା ଉପରେ ଆଧାରିତ । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ନିଜର ଘୋଷଣା ପତ୍ରରେ କାଶ୍ମୀରକୁ ଦିଆଯାଇଥିବା ବିଶେଷ ଅଧିକାର (୩୫-ଏ) କୁ ଶେଷ କରିବା ପାଇଁ କହିଛି । ଏଥିରେ ଇମରାନ ଖାନ କହିଛନ୍ତି, ହୋଇଥାଇପାରେ ଏହା ନିର୍ବାଚନ ପ୍ରଚାର କିନ୍ତୁ ଏହା ବହୁତ ଚିନ୍ତାର ବିଷୟ । ଆତଙ୍କବାଦୀ ପ୍ରସଙ୍ଗରେ ଇମରାନ ଖାନ କହିଛନ୍ତି ଇସଲାମବାଦ ପାକିସ୍ତାନ ଭିତରେ ସବୁ ଆତଙ୍କବାଦୀ ସଂଗଠନ ଗୁଡିକୁ ସମାପ୍ତ କରିବା ପାଇଁ ସଂକଳ୍ପବଦ୍ଧ ଅଟେ । ଏହି କାର୍ଯ୍ୟକ୍ରମରେ ପାକିସ୍ତାନ ସେନାର ପୁରା ସମର୍ଥନ ରହିଛି ।

Leave A Reply